Unknown

 

 

 

 

 

 

 

 

 

ବନ୍ୟାର ଦୁଇଟି ଫୁଲ

ଦୀପକ

 

ତାଙ୍କର ଉଦ୍ଦେଶେ–

 

ବନ୍ୟାର ସ୍ରେତରେ ଯେଉଁ ଫୁଟି ଆସୁଥିବା

କଅଁଳ ଫୁଲଟି ମାନ

ବାଟ କାଟି

ଆଉ ଫେରି ନାହାନ୍ତି

ତାଙ୍କର କର କମଳରେ

‘ଦୀପକ’ର

ଶେଷ ମୂର୍ଚ୍ଛନା–

 

ପାଟଳିତ ପ୍ରଦୋଷ ।

ଚତୁର୍ଦିଗରେ ଅସ୍ତଗାମୀ ତପନ ସୃଷ୍ଟି କରିଚି ସିନ୍ଦୂରିତ ମହୋତ୍ସବ । ନୀଳ ଆକାଶ ତଳେ ବସନ୍ତ କୁମାରୀ କେଳୀରତା ଥିଲା ।

‘ବୀଣା–’

ଯେଉଁ ଚରଣ ସଂପାତରେ ସମୁଦ୍ରପ୍ରାନ୍ତ ମରୁଭୂମିରେ ପଦ୍ମକଳି ଫୁଟି ଆସୁଥିଲା, ସହସା ତାହା ଅଟକି ଗଲା । ବୀଣାର ମୁଖ ନଇଁ ଆସିଲା ।

କୁଆଡ଼େ ଯାଉଚ– ?

ନୀରବ !

କହିବନି ?

ଆପଣ ?

ତୁମ ଅପେକ୍ଷାରେ–

ସୈକତ ଉପରେ ବସିପଡ଼ି କହିଲି, ଆସ–

ଆସୁଚି–ଏତିକି କହି ବୀଣା ଆଗେଇ ଚାଲିଲା ।

ଆସିବନି ?

ବୀଣା ମୋଆଡ଼େ ଥରେ ଚାହିଁଲା । ତାର ବିନମ୍ର କଟାକ୍ଷ ତଳେ ଯେପରି ଏକ ଅଜଣା କରୁଣ ଭାଷା ଧ୍ୱନିତ ହୋଇ ଉଠୁଥିଲା ।

ବୀଣା ମୋ ପାଖରେ ବସିଲା ।

ସମୁଦ୍ରର ପ୍ରଶାନ୍ତ ବକ୍ଷରେ ଧୂସର ସନ୍ଧ୍ୟା ଧୀରେ ଅପସରି ଯାଉଥିଲା । ସେଇ ସୌନ୍ଦର୍ଯ୍ୟକୁ ମୁଁ ଉପଭୋଗ କରୁଥିଲି ବୀଣାର ଅପୂର୍ବ ସୁଷମା ଆଶ୍ରୟରେ ।

ବୀଣା ମୋ ପାଖରେ ବସି ତମେ କିଛି ଅପମାନ ପାଇନାହଁ ତ ?

ଅସ୍ପଷ୍ଟ ସ୍ୱରରେ ସେ କହିଲା, କି ?

ପଳାଇବି ବୋଲି କହୁଥିଲ ଯେ

ନୀରବ ।

କହୁନ ?

ଚାଲିଯିବି–

ଫେର୍ ହେଲା କ’ଣ ?

ଲୋକେ କ’ଣ ଭାବିବେ ?

ଏଇଠିତ କେହି ନାହାନ୍ତି ।

ଉତ୍ତର ନଦେଇ ସେ ଭୂମିରେ ଗାର କାଟିବାରେ ଲାଗିଲା ।

ପାନ ଅଛି ?

ବାଁ ହାତରେ ଡ଼ିବାଟି ମୋର କୋଳକୁ ଫିଙ୍ଗି ସେଇ ଖେଳରେ ଲାଗିଲା ।

କୌତୁକରେ ପଚାରିଲି–ଖଗା ହାତିଟା କି ମ–

ବୀଣାର ଚିବୁକ ତଳେ ହାସରେଖା ବିଜୁଳି ପରି ଚହଲି ଗଲା । ହାତ ଧରି ପାଖକୁ ଟାଣିଲି ।

ବ୍ୟସ୍ତ ହୋଇ କହିଲା, ଆପଣ–

ଆସିବନି ?

ଏଇଠିତ ବସିଚି–

ସତରେ କ’ଣ ମୋତେ ଭଲ ପାଅ ବୀଣା ?

ଲାଭ କ’ଣ–ତାର ଶୁଷ୍କକଣ୍ଠରୁ ଆସିଲା ଉତ୍ତର ।

କି ?

ମୁଁ–

କହୁନ–

ଜାତି–ଅସ୍ପଷ୍ଟ ସ୍ୱରରେ କହିଲା ବୀଣା । କଣ୍ଠସ୍ୱରରେ ଯେପରି ବହୁଯୁଗର ଅଭିଯୋଗ ଲାଗି ରହିଚି ।

ହଁ, ମୁଁ ଜାଣେ ବୀଣା, ତୁମେ ଆନ୍ଧ୍ରକନ୍ୟା, ତମର ବାପ ଆନ୍ଧ୍ର, ଆଉ ମା ଓଡ଼ିଆ ।

ତଥାପି–

କ’ଣ ?

ବାପା ମା

ତମେ ଶୁଣିଥିବ ତ ସେମାନେ ଆଗଠୁ ଏହା ଠିକ୍ କରିଛନ୍ତି ।

ନା

ହେଉ, ମୁଁ ତ କହୁଚି

କିନ୍ତୁ–

ମୋ କଥାରେ ବିଶ୍ୱାସ କରୁନ ?

ନା, ଭାବୁଚି ଆମର ସ୍ନେହ–

ଚିରଦିନ ପାଇଁ ରହିବନି ବୋଲି ? କିନ୍ତୁ ବୀଣା ମୋର ହୃଦୟକୁ ଥରେ ଚାହଁ । ବୁଝିବ ଏ ମନମୂଳରେ ତମେ କିମିତି ବାନ୍ଧିହୋଇ ରହିଚ । କ୍ଷଣକର ଇନ୍ଦ୍ରିୟଲାଳସାରେ ତମର ଜୀବନ ନଷ୍ଟ କରିବାକୁ ମୁଁ ଯାଉନି । ଭାବୁଚ ମୁଁ ଛଳନା କରୁଚି– । କିନ୍ତୁ ତୁମକୁ ଠକିବା ପାଇଁ ମୁଁ ଏ ସ୍ନେହ କେବେ ମାଗୁନି–କହୁ କହୁ ଟୋପାଏ ଲୁହ ବୀଣାର କରପଦ୍ମ ଉପରେ ଝରିପଡ଼ିଲା । ସେ ଚକିତ ହୋଇ କହିଲା, ଏ କ’ଣ–

ରୁମାଲରେ ପୋଛି କହିଲି, କିଛି ନୁହେଁ ବୀଣା, ଦୁଃଖ କରି ମୁଁ ଅଶ୍ରୁ ଢ଼ାଳିନି । ଢାଳିଚି ତୁମର ସ୍ୱର୍ଣ୍ଣ କର-ପଦ୍ମ ଉପରେ ଏ ମୋର ଜୀବନ-ମୁକ୍ତା ବିନ୍ଦୁ କିପରି ଖେଳି ଉଠିବ ତାହା ଦେଖିବା ପାଇଁ–ଆଜି ଏ ମୋର ସମର୍ପଣ ।

ବୀଣା କିଛି କହି ପାରିଲା ନାହିଁ । ତାର କଣ୍ଠ ଏକ ପ୍ରକାର ବାଷ୍ପରୁଦ୍ଧ ହୋଇ ଯାଇଥିଲା-

କ୍ଷଣକାଳ ଚାଲିଗଲା । ନୀରବତା ଭିତରେ ଚକ୍ଷୁ ନିମୀଳିତ କରି ବୀଣା କହିଲା, ସ୍ନେହ ଆଗରୁ–

ଲହରୀମାଳା ଗମ୍ଭୀର ଗର୍ଜନ କରି ଉଠୁଥିଲା । ବିଶାଖାପାଟଣାର ପ୍ରଶସ୍ତ ସମୁଦ୍ରପ୍ରାନ୍ତ, ଉପରେ ତାରକାର କ୍ଷୀଣ ଜ୍ୟୋତି ।

ବୀଣାର ହାତକୁ ଚାପି ଧରିଲି । ସେ ବ୍ୟତିବ୍ୟସ୍ତ ହୋଇ ଚାହିଁ ରହିଲା ମୋ ଆଡ଼େ । ଦୂର ଦୀପସ୍ତମ୍ଭର ଆଲୋକ ହଠାତ୍ ଆମ ଉପରେ ପଡ଼ିଲା । ଯିବି–

ଚାଲିଯିବ ?

ହଁ, ରାତି ହେଲାଣି, ବାପା କ’ଣ ଭାବିବେ ।

ନାରୀର ଭୀରୁତା ସହଜବୋଧ ହେଲେହେଁ ସମୟବେଳେ ସହନୀୟ ନୁହେଁ । କହିଲି, ଯଦି ପ୍ରକୃତରେ ସ୍ନେହ କରୁନ, ବୃଥାରେ ମୋର ପ୍ରାଣକୁ ଜାଳିପୋଡ଼ି ଦିଅନା ବୀଣା-

ଭୁଲ ବୁଝନ୍ତୁନା–ଆସିବି ।

କାଲିକି ଆସିବ ?

ହଁ ।

ପ୍ରତିଶ୍ରୁତି ନେବାପାଇଁ ହାତ ବଢ଼ାଇଲି ।

ସେ ମୋ ଆଡ଼େ ପ୍ରଶ୍ନବାଚକ ଦୃଷ୍ଟିନିକ୍ଷେପ କଲା ।

ବିଶ୍ୱାସ କରୁନାହାନ୍ତି–ଏତିକି କହି ସେ ଟିକିଏ ହସିଲା- ଯେପରି ସେଇ ହସ ଭିତରେ ପୁରୁଷର ବିଶ୍ୱାସ ଅପମାନିତ ହୋଇଚି ।

ମୁଁ ହାତକୁ ଫେରାଇ ଆଣିଲି ।

ତପନର ମୟୂଖରେ ଧରଣୀ ସେ ଦିନ ହୋଇଥାଏ ଉଜ୍ୱଳ ।

ଗିରିଧର ବାବୁଙ୍କ ବୈଠକଖାନା । ସୁସଜ୍ଜିତ ପ୍ରକୋଷ୍ଠ ଭିତରେ ଆମେ ବାପପୁଅ ଦୁହେଁ ଆଉ ଗିରିଧର ବାବୁ । ତାଙ୍କ ପାଖରେ ଲଳିତା ଦେବୀ । ପ୍ରଥମ ପରିଚୟର ଆଳାପ ନିବିଡ଼ ଭାବରେ ଚାଲିଥିଲା । ଅଠର ବର୍ଷର ତରୁଣ ମୁଁ ସେଇ ମେଳରେ ନିଃସଙ୍ଗତା ଅନୁଭବ କରିବା ସ୍ୱଭାବିକ । ଅନ୍ୟମନସ୍କ ଭାବରେ ରବିବର୍ମାଙ୍କ ସ୍ୱର୍ଣ୍ଣ ତୂଳୀ ରଞ୍ଜିତ ଚିତ୍ର ଆଡ଼େ ଚାହିଁ ରହିଥିଲି । ଚିତ୍ରର ଭୂମିକାରେ ପ୍ରକୃତି–ବିଳସିତ ବନାନୀର ପୁଷ୍ପ-ସମ୍ଭାର । ଦୁର୍ବାଦଳର ତଳ୍ପ ଉପରେ ଶୋଇଥିଲେ ଦୁଷ୍ମନ୍ତ–ରାଣୀ । ହାତରେ ଲେଖନୀ–ପଦ୍ମପତ୍ର ଉପରେ ଭାବାଙ୍କନର ଅପୂର୍ବ ଛଟ-ପାଖରେ ଦୁଇ ସଜନୀ-ଅନୁସୂୟା ଓ ପ୍ରିୟମ୍ବଦା–ଯେପରି ତାଙ୍କର ପ୍ରଣୟରେ ହାସ୍ୟ ଝରାଇ ନିବିଡ଼ କରିବା ପାଇଁ ଏ ତାପସ କୁମାରୀ ଦୁହେଁ ଜନ୍ମ ହୋଇଚନ୍ତି । ଅନତି ଦୂରରେ ମୃଗୁଣୀର ଛନ ଛନ ଶୋଭା ।

ନିପୁଣ ଶିଳ୍ପୀର ପ୍ରତିଭା ବିକାଶ କଳନାରେ ମୁଁ ତନ୍ମୟ ହୋଇଯାଇଥିଲି ।

କେହି ଜଣେ କିଶୋରୀ ଆସି ମୋର ଗୋଡ଼ ତଳେ ପ୍ରଣାମ ଜଣାଇଲା । ତନ୍ମୟତା ଭାଜିଗଲା । ମନେହେଲା ଏ ପ୍ରତିମାର ଯୌବନକୁ ରସାଣିତ କରିବା ପାଇଁ ସତେ ଯେପରି କିଏ ଅମୃତ କୂଚିକା ଧରି ପ୍ରଭାତର ସଘନ ଅରୁଣିମାକୁ ଆଙ୍କି ଦେଉଚି ।

ବଡ଼ ଘର । ବେଶୀ ବେଳ କିଶୋରୀର ରୂପ ନିରେଖିବା ପାଇଁ ଲୋକଚକ୍ଷୁ ଅନୁମତି ଦେବନାହିଁ । ଭଦ୍ରତାର ଖାତିରିରେ ହେଉ ବା ମୋର ଦୃଷ୍ଟିକୁ ଆକର୍ଷଣ କରିବା ପାଇଁ ହେଉ କିଶୋରୀ କ୍ଷଣକାଳ ଛିଡ଼ା ହେଲା । ତଥାପି ମୁଁ ଚାହିଁପାରିଲି ନାହିଁ । ପାଖରେ ମାନ୍ୟଗଣ । ନୂତନ ବଂଧୁ ପରିଚୟ ଭିତରେ ଯେ ଯାହାର ଗୌରବ ବା ଭଦ୍ରତା ଦେଖାଇବାରେ ଜାଗ୍ରତ ଥିଲେ । କିଶୋରୀ ଚାଲିଗଲା । ମୁଁ ଚାହିଁ ନ ଚାହିଁଲା ପରି ରହିଲି ।

ସେଦିନର ସାହିତ୍ୟିକ ସମାବେଶ ଭିତରେ ମୋର ବାପାଙ୍କ ସହିତ କିଶୋରୀର ବାପା ଗିରିଧର ବାବୁଙ୍କର ପ୍ରଥମ ସାକ୍ଷାତ ହେଲା । ଏ ପରସ୍ପର ପରିଚୟ ମଝିରେ ଥିଲେ ତାର ମାମୁ ଗିରିଶବାବୁ ।

କଥାବାର୍ତ୍ତା ଶେଷରେ ଗିରିଧର ବାବୁ ନୂତନ ବନ୍ଧୁତ୍ୱର ଲୌକିକ ଦୃଷ୍ଟିରେ ବା ପ୍ରକୃତ ସ୍ନେହର ଆକର୍ଷଣରେ ଆମକୁ ଥରେ ତାଙ୍କ ଘରକୁ ନିମନ୍ତ୍ରଣ କଲେ । ତେଣୁ ଆମେ ଯାଇଥିଲୁ । ଗିରିଧର ବାବୁ ଶଙ୍କି ଶଙ୍କି ବାପାଙ୍କୁ କହିଲେ ରାତ୍ରୀ ଭୋଜନଟା ଏଇଠି ଚଳିବ–

ତାଙ୍କର ଶଙ୍କାର କାରଣ ବାପା ଜାଣିଗଲେ । ଟିକିଏ ହସି କହିଲେ, ଗୌରବର କଥା ।

ଆମେ ଓଡ଼ିଆ ଆଉ ଗିରିଧର ବାବୁ–ସେ ଖାଣ୍ଟି ଆନ୍ଧ୍ର । ଗୋଷ୍ଠୀ ଓ ଜାତି ଭିତରେ ପ୍ରଭେଦ କିଛି ନାହିଁ । ତଥାପି ଦଶବର୍ଷ ତଳର ସମାଜ । ବାପାଙ୍କ ସ୍ୱୀକାର ଜାଣି ସେ ଆନନ୍ଦରେ ଧନ୍ୟବାଦ ଅର୍ପଣ କଲେ ।

ସେଇ ଗୋଟିଏ ଦିନର ଆତିଥ୍ୟ ସତ୍କାର ପାଇ ବାପାଙ୍କ ହୃଦୟରେ ନିବିଡ଼ ବନ୍ଧୁତ୍ୱ ସୃଷ୍ଟିର କଳ୍ପନା ଖେଳିଯାଇଥିଲା ବୋଧହୁଏ । ଘରକୁ ଫେରି ମାଁଙ୍କୁ ସେ ଯାହା କହିଥିଲେ, ସଂଲଗ୍ନ କକ୍ଷରେ ଥାଇ ଶୁଣିଥିଲି । ସେତେବେଳେ ମୋର ମନେ ହେଲା ଯେପରି ସେଇ କିଶୋରୀର ଯୌବନଶ୍ରୀକୁ ଆଖିଭରି ନଦେଖିପାରି ବାସ୍ତବିକ ମୁଁ କେଡ଼େ ଭୁଲ୍ କରିଚି । ଦେଖି ଆସିବା ପାଇଁ ମନେହେଲା । କିନ୍ତୁ ଯଦି ସେ ମୋତେ ଭଲ ନପାଏ ?

ଯାହା ହେଉ ଏ ସଂଭାଷଣ ଶୁଣି ମୁଁ ବିଶେଷ ଆନନ୍ଦ ଅନୁଭବ କଲି । ଯୌବନ ସୁଲଭ କଳ୍ପନାରେ ମୁଁ ବାସ୍ତବତାକୁ ପାଇବି କି ନାହିଁ ସେ ଚିନ୍ତା ମତେ ବିବ୍ରତକଲା ।

ଚାରିଦିନ ଚାଲିଗଲା । ମୋର ହୃଦୟର କଥା ବୁଝିବ ବା କିଏ ? ଅସ୍ତମିତ ଦିନମଣିକୁ ଚାହିଁ ଅଳସ ଭାଙ୍ଗେ, ସମୁଦ୍ର ଲହରୀ ଦେଖି ହାଇମାରେ, ମୃଦୁ ସମୀରଣର ପରଶ ପାଇ ସ୍ୱପ୍ନ ଦେଖେ ।

ବଡ଼ଘରେ ଜନ୍ମ ହୋଇ ଯେଉଁ ଦାୟିତ୍ୱ ମୁଣ୍ଡାଇଚି ସେଥିପାଇଁ ବାହୁନେ । ମାନ-ମର୍ଯ୍ୟାଦାର ଶୃଙ୍ଖଳରେ ବେଷ୍ଟିତ ହୋଇ ପ୍ରଣୟକୁ ଆହୁତି ଦେବାର ଏହା ନୁହେ ତ ଆଉ କ’ଣ ? କିଶୋରୀକୁ ଥରେ ଦେଖି ଆସିବା ପାଇଁ ପିପାସା ଜାଗି ଉଠିଲା । ତଥାପି ସେତ ଆଉ ମାମୁଲି ଘରର ଝିଅ ନୁହେ । ସେ ତାର ଶୃଙ୍ଖଳାବଦ୍ଧ ସମାଜ ଭିତରେ । ଆଉ ଦେଖିବାର ଉପାୟ କ’ଣ ? ଏହାହିଁତ ଆମର ସାମାଜିକ ନିବନ୍ଧନ ।

ସେ ଦିନ ଆମ ଘରେ ଭୋଜନ କରିବା ସକାଶେ ଗିରିଧର ବାବୁଙ୍କୁ ନିମନ୍ତ୍ରଣ କରିବା ପାଇଁ ବାପା ମୋଟର ଚଢ଼ିଲେ । ଏ କଥା ମୁଁ ଜାଣେ । ହଠାତ୍ ଯାଇ ଗାଡ଼ିରେ ବସିବା ପାଇଁ ଉଦ୍‌ଗ୍ରୀବ ହେଲି । ବାପା କହିଲେ, ତୁ କୁଆଡ଼େ ?

ତାଙ୍କର କଣ୍ଠରେ ରୁକ୍ଷତା ଥିଲା ପରି ମତେ ଲାଗିଲା । କିଛି ନ କହି ଘରକୁ ଚାଲି ଆସିଲି। ମୁଣ୍ଡ ପୋତି ହୋଇଗଲା–ଯେପରି ସେ ମୋର ଭାବନାକୁ ଜାଣି ପକାଇ ଏ କର୍କଶ ବାଣୀ ଶୁଣାଇଚନ୍ତି । ଘା’ ଉପରେ ଟଣକ ପରି ଏହା ମତେ ବାଧିଲା ।

ଗିରିଧର ବାବୁ ଆସିଲେ । ଅନାବନା ଗପରେ ଭୋଜନ ଶେଷ ହୋଇଗଲା । ମୋଟର ଚଢ଼ିଲା ବେଳକୁ ମୋର ପ୍ରଣାମ ନେଇ ମଥା ହଲାଇଲେ । କିନ୍ତୁ ଭାଷା ଟିକିଏ କହିଲେ ନାହିଁ ।

ଅନେକ ଦିନ ଚାଲିଗଲା । ଗିରିଧର ବାବୁ ଆମ ଘରକୁ ଆସନ୍ତି, ବାପା ବି ତାଙ୍କ ଘରକୁ ଯାଆନ୍ତି । କିନ୍ତୁ ବାପାଙ୍କଠାରୁ କଟୁକଥା ଶୁଣିବା ଦିନରୁ ମୋର ମନ ଭାରାକ୍ରାନ୍ତ ହୋଇ ପଡ଼ିଲା । ଯିବା ପାଇଁ ସ୍ପୃହା ଥିଲେହେଁ ମନ ମାରି ରହିଲି ।

ସେଦିନ ସନ୍ଧ୍ୟାର କ୍ଷୀଣାଲୋକରେ କ୍ରାୟିଜ୍‌ଲାର୍ ମୋଟର ଧୀରେ ଧୀରେ ଆସୁଥିଲା ସମୁଦ୍ରପ୍ରାନ୍ତର ସୁବିଶାଳ ମାର୍ଗ ଉପରେ । ଗାଡ଼ି ଆମ ମୋଟର ପାଖରେ ଛିଡ଼ା ହେଲା । ହଠାତ୍ ମୋର ଦୃଷ୍ଟି ପଡ଼ିଲା ଡ୍ରାଇଭର୍‍ ଉପରେ । କିଶୋରୀ ଧରିଛି ଷ୍ଟେରିଙ୍ଗ । ଆନନ୍ଦ ଟିକିଏ ଉପଭୋଗ କରିବାକୁ ପ୍ରଶୟ ନ ଦେଇ ପଛ ସୀଟ୍ ରୁ ଗିରିଧର ବାବୁ ପଚାରିଲେ, ଗାଡ଼ି କ’ଣ ହେଲା ?

ବାପା ନ ଥିଲେ । ନମସ୍କାର କରି କହିଲି, ପାଞ୍ଚାର୍ ପଡ଼ିଚି ।

ସ୍ନେହରେ ମୋର ହାତଧରି ଗାଡ଼ିରେ ବସାଇଦେଲେ । ଗାଡ଼ି ଚାଲିଲା । କିଶୋରୀକୁ ଚାହିଁବା ପାଇଁ ମୋର ଶଙ୍କା ହେଲେ ବି ଥରେ ଥରେ ଚାହିଁ ଦେଉଥିଲି । କିଶୋରୀ କିନ୍ତୁ ମୋତେ ଦେଖିବାପାଇଁ ଅବକାଶ ପାଇପାରିଲା ନାହିଁ ।

ମୋଟର ଯାଇ ପୋର୍ଟିକୋରେ ଛିଡ଼ା ହେଲା । ଗିରିଧର ବାବୁ ମୋ ଉପରେ ଆଦର ଅଧିକାର ଦେଖାଇ କହିଲେ, ଫ୍ରେଡ୍‍ ଏଇଠି ଖାଇ ଯିବ ।

ଗିରିଧର ବାବୁଙ୍କ ଏ ସ୍ନେହ ଆଦେଶ ଶୁଣି କିଶୋରୀ ମୋ ଆଡ଼େ ଥରେ ଚାହିଁଲା । କେଉଁଥି ପାଇଁ ଏ ଦୃଷ୍ଟି, ତାହା ବୁଝିପାରିବାର ସାମର୍ଥ୍ୟ ମୋର ସେତେବେଳକୁ ଆସିଯାଇଥିଲା । ତଥାପି ବିଷମ ସମସ୍ୟାରେ ପଡ଼ି ଉତ୍ତର ଦେଲି, ବାପାଙ୍କୁ କହିନି ।

ଗିରିଧର ବାବୁ କହିଲେ, ହେଉ, ସେ କିଛି କହିବେନି, ମୁଁ ଜାଣେ ।

ଆପଣା ପାଦର ଆଙ୍ଗୁଳିକୁ ଚାହିଁ କିଶୋରୀ ଚାଲିଗଲା । ମୁଁ ଗିରିଧର ବାବୁଙ୍କ ସାଥିରେ ଯାଇ ବୈଠକଖାନାରେ ବସିଲି । ଅଠର ବର୍ଷର ଟୋକା ମୁଁ ତାଙ୍କ ସଙ୍ଗରେ କ’ଣ କଥା ହେବି ? ବଡ଼ ନିସଙ୍ଗତା ଅନୁଭବ କଲି । ସେ ଅଫିସ୍‍ କାଗଜ ପତ୍ର ଦେଖିବାରେ ବ୍ୟସ୍ତ ରହିଥିଲେ । କ୍ଷଣ କାଳ ପରେ କାଗଜ ଉପରୁ ମୁହଁ ଟେକି କହିଲେ, ଭିତରକୁ ଯାଉନ ।

କିଛି କହି ପାରିଲି ନାହିଁ । ସେ ମୋ ମନ କଥା ଜାଣି କହିଲେ, ଲାଜ କରୁଚ, ଯେ ।

ଯିବାକୁ ପଡ଼ିଲା । ସେତେବେଳେ କିଶୋରୀ ପାନ ଭାଙ୍ଗୁଥିଲା । ଆଉ ତାର ଦୃଷ୍ଟି ସେଇ ରଚନାରେ ନିବିଷ୍ଟ ରହିଥିଲା । ମାଁ ଲଳିତା ଦେବୀ ମୋର ଆଗମନ ଦେଖି କହିଲେ, ବୀଣା ଫ୍ରେଡ଼୍‍ ଆସିଚନ୍ତି ।

ବୀଣାର ପାନଭଙ୍ଗା ଅଧାରେ ରହିଗଲା । ବସନ୍ତ କାଳର କୁରଙ୍ଗୀ ପରି ସେ ଧାଇଁ ଯାଇ ଲୁଚିଗଲା । ଲଳିତା ଦେବୀ ଡାକିଲେ, ବୀଣା, ବୀଣା–

ଉଁ–

ଆ-ସ୍

ଆସିଲା ନାହିଁ ।

ଆ-ସ୍

ଆଖି ପତାକୁ ନୁଆଁଇ ଆସିଲା ବୀଣା । ପତଳା ଦେହ, ସରୁ ସରୁ ବାହୁ, ତଥାପି ଦେଖିବାକୁ ସୁନ୍ଦର ।

ଲଳିତା ଦେବୀ ଆଉ ମୁଁ ସେତେବେଳକୁ ସୋଫାରେ ବସି ସାରିଥିଲୁ । ଅପରାଧୀନିଙ୍କ ପରି ବୀଣା ନୀରବରେ ଠିଆ ହେଲା ।

ଲଳିତା ଦେବୀ କହିଲେ, ଫ୍ରେଡ଼୍‍ ପାଖରେ ତୁ ଲୁଚୁଚୁ କିଆଁ ? ସେତ ଆମ ଘର ପିଲା ।

ବୀଣା ଆହୁରି ଲଜ୍ଜିତା ହେଲା । ତହୁଁ ଲଳିତାଦେବୀ ବୀଣାକୁ ମୋ ପାଇଁ ପାନ ଆଣି ଦେବାକୁ କହିଲେ । ବୀଣା ଥାଳିଟିରେ ପାନ ଆଣି ଟେବୁଲ ଉପରେ ଥୋଇଦେଲା ।

ଲଳିତାଦେବୀ ମୁହଁ ବୁଲାଇ ପୂଜାରୀକୁ ଡାକିଲା ବେଳକୁ ବୀଣା ଆଡ଼େ ମୁଁ ଥରେ ଚାହିଁଲି । ସେତେବେଳେ ତାର ସୁଢ଼ଳ କଳା ଦୁଇଟି ଆଖି ମତେ ସହାନୁଭୂତି ଜଣାଇଲା ପରି ବୋଧ ହେଲା ।

ଏଇ ପରି ଦୁଇ ତିନି ମାସ ବିତିଗଲା । ଯିବା ଆସିବାର ବନ୍ଧୁତା ନିବିଡ଼ ହେଲା । ଆମ ଦୁହିଁଙ୍କ ଭିତରେ ସ୍ନେହର ଅଙ୍କୁର ପତ୍ର ଫୁଟିଲା । ଆଗରୁ ଆମ ବାପା ମା’ଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଚି । ବୀଣା ଆମ ଘରେ ଅବାଧିତ ଭାବରେ ବୁଲି ମୋର ମାଁଙ୍କଠୁଁ ମାତୃତ୍ୱର ମଧୁର ବାଣୀ ଶୁଣେ । ମୁଁ ବି ଲଳିତାଦେବୀଙ୍କଠୁ ସେଇ ଆଗ୍ରହ ପାଏ । ଲଳିତାଦେବୀଙ୍କର ପୁଅ ତ କେହି ନଥାନ୍ତି-। କେବଳ ଦୁଇଟି ଝିଅ । ତେର ବର୍ଷର କିଶୋରୀ ବୀଣା, ଆଉ ତାର ଭଉଣୀ ଅରୁନ୍ଧତୀ ସେତେବେଳକୁ ସାତ ବର୍ଷର ପିଲା ।

ଧରଣୀ ଉପରେ ବର୍ଷା, ଶରତ, ହେମନ୍ତ, ଶିଶିରର ପ୍ରାକୃତିକ ଆବର୍ତ୍ତନ ଚାଲିଗଲା । ଏ ଋତୁ ବିବର୍ତ୍ତନ ଆମେ ଦେଖିଲୁ । କିନ୍ତୁ ଭୋଗିପାରିଲୁ ନାହିଁ । ବୀଣାର ଯୌବନ ବେଦୀରେ ମୋ ତନୁ ସମର୍ପଣ ଏ ଋତୁ ପର୍ଯ୍ୟାୟକୁ ସରସ କରିବାର ପରିସର ମିଳିଲା ନାହିଁ । ବଡ଼ ଘରେ ଜନ୍ମ ହୋଇ ଆମେ କି ସୁଖ ପାଇଲୁ ?

ପରସ୍ପରକୁ ଚାହିଁ ଚାହିଁ ବିରହକୁ ଭୋଗି ଭୋଗି ଦେଖିଲୁ ବସୁଧାରେ ଆସିଲା ନବ ବସନ୍ତର ମହୋତ୍ସବ ।

ବସନ୍ତ-ରାଣୀ ତାର ନବ-ବିକଶିତ କୁସୁମ କେତନ ଉଡ଼ାଇ ବିଶ୍ୱରେ ପ୍ରଣୟର ଅଭିଯାନ ଆରମ୍ଭ କଲା । ସେଇ ମଧୁର ବେଷ୍ଟନୀ ଭିତରେ ଆମର ପ୍ରଥମ ମିଳନ ହେଲା ସେଇଠି-ସେଇ ସ୍ୱର୍ଣ୍ଣମୟ ବେଦିକା ଉପରେ ।

କଲେଜରୁ ଫେରିଲାବେଳକୁ ବାଜିଲା ସାଢ଼େ ପାଞ୍ଚ । ମନ ଭିତରେ କେଉଁ ଅପୂର୍ବ ଭାବାବେଶ ଜାଗି ଉଠୁଥିଲା । ନବପୁଷ୍ପିତା ଅବନୀ ମୋର ଚକ୍ଷୁରେ ଯେଉଁ ସୁଧାଞ୍ଜନ ଲଗାଇଦେଇଥିଲା, ସେଥିରେ ମୋତେ ଦିଶୁଥିଲା କେବଳ ସେଇ ଲାବଣ୍ୟ ଶ୍ରୀ–ନୟନର କାରା–ବୀଣା । ଏକ ଅପୂର୍ବ ସ୍ନିଗ୍ଧତା ଭିତରେ ଶରତର ଖଣ୍ଡ ମେଘ ପରି ମୋର ଭାବନା ଭାସିଉଠୁଥିଲା–ଜଣାଯାଉଥିଲା ଏ ସଂସାର ଆନନ୍ଦମୟ- ଦୁଃଖର ସତ୍ତା ବି ସେଥିରେ ନାହିଁ । ଜୀବନ ଫେର୍ ଏଡ଼େ ସୁନ୍ଦର, ଏଡ଼େ ମଧୁମୟ !

ସାହେବୀ ପୋଷାକ ବାହାର କରି ଧୋତି ପିନ୍ଧି ପଞ୍ଜାବୀ ଲାଲ୍‌ଚି ଲଗାଇଲି । ଆଇନା ପାଖରେ ବସି କେଶ ଉପରେ ଭୃଙ୍ଗରାଜ ତୈଳ ଟିକିଏ ଲଗାଇଲା ବେଳକୁ ଶୁଭିଲା, ନନା–

କ’ଣ ?

କଲେଜରୁ ଫେରିଲଣି ? ଗେହ୍ଲା ସ୍ୱରରେ କହିଲା ସୁମ । ସୁମ ମୋର ଆଠ ବର୍ଷର ଭଉଣୀ । ଷ୍ଟୁଆର୍ଟ ସ୍କୁଲର ପଞ୍ଚମ ଶ୍ରେଣୀ ପଢ଼େ । କହିଲି, ତମ ପରୀକ୍ଷା ଶେଷ ହୋଇଚି ?

ହଁ, I got First Prize–ସାଇକଲ୍‌ଟେ ଦେବି ବୋଲି କହିଥିଲ ଯେ କେବେ ଦେବ-?

କାଲି ସକାଳୁ ଯାଇ କିଣି ଆଣିବା–ବାବାଙ୍କୁ କହିଲୁଣି ତ ?

ହଁ–ଏଇତ କହି ଆସୁଚି–

ଆଚ୍ଛା, ଅରୁ ପାଶ୍‍ କରିଛି ତ ?

ସେ ଗୋଟାଏ donkey–ଥାର୍ଡ ପ୍ରାଇଜ୍ ପାଇଚି, ବେଶ୍ ପଟୁତା ଦେଖାଇ କହିଲା ସୁମ ।

ପୂଜାରୀ ଜଳଖିଆ ରଖି ଠିଆହେଲା–ଘଡ଼ି ଦେଖିଲି ଛଅ ବାଜିବାକୁ ପାଞ୍ଚ ମିନିଟ୍ ।

କହିଲି, ନା, କଫି କପ୍‌ଟେ କରିଦେ ତ–

ପୂଜାରୀ କିଛି ନ କହି କଫି କରିବାରେ ଲାଗିଲା ।

ଦର୍ପଣରେ ବେଶ–ପରିପାଟୀ ଥରେ ଚାହିଁଲା ବେଳେ ସୁମ ମୋର ସିଗାରେଟ୍ କେଶ୍‌ଟି ଧରି ଚଦି ଚଦି କହିଲା, ଏଇଟା ବାବାଙ୍କୁ ନେଇ ଦେଖାଇ ଦେବିନା– ।

ମୋ ଠାରେ ଏ ତାର ପ୍ରତିଦିନର ହାସ୍ୟ କୌତୁକ । କହିଲି, ଦେଖା–

ଉଁହୁଁ-ଦେଖା ବୋଲି କହିଲଣି–ହେଉ ଯାଉଚି । କହି ସୁମ ଆଗକୁ ଦୁଇ ପହଣ୍ଡ ପକାଇଲା । ରୁମାଲ୍‍ରେ ଟିକିଏ ପେରିସ୍ ସେଣ୍ଟ୍‍ ଅଜାଡ଼ି କହିଲି, ଛୋଟ ଭଉଣୀଟି ପରା, ମୋ କଥା ସେ କାହାକୁ କହିବ କି–

ସୁମ ଫେରିଆସି କହିଲା, ଆଜି ମୋତେ ବୁଲାଇ ନେବ ନା ?

ନା ଆଜି ନୁହେଁ–କାଲିକି ।

ସୁମ ମୋ ଠାରେ ଅଳି କଲା–ଛଳନାରେ ଉଁ ଉଁ ଉଁ କରି କାନ୍ଦିବାର ଅଭିନୟ କଲା । କହିଲି, ଆସ୍, ଆଗେ ଜଳଖିଆ ଟିକିଏ ଖା ।

ବୋଧହୁଏ ସୁମ ଭାବିଲା ମୁଁ ତାକୁ ବୁଲାଇ ନେବା ପାଇଁ ସମ୍ମତ ହୋଇଚି । କେସ୍‌ରୁ ସିଗାରେଟ୍ ଗୋଟାଏ ବାହାର କରି ମୋର ତୁଣ୍ଡରେ ପୂରାଇ କହିଲା, ନିଆପେଢ଼ି କାହିଁ?

ମୁଁ ସିଗାରେଟ୍‌ରେ ନିଆଁ ଲଗାଇଲି । ସୁମ ଝଟ ଝଟ କରି ପୁରି ଖାଇବାରେ ଲାଗିଲା । କଫି ଢୋକାଏ ପିଇ କହିଲି, ଚେପ୍‌ଟି ନାକୀ, ଧିରି ଖା,’ ଏଡ଼େ ତନ୍ଦରା କାହିଁକି ?

ସୁମ ଦୁଇଟା ପୁରି ଖାଇ ହାତ ଧୋଇଲା । କହିଲା, ଆସ ଯିବା–

କୁଆଡ଼େ ?

ବୀଚ୍ ଆଡ଼େ–

ନାଁ, ଆଜି ନୁହେଁ, କାଲିକି ।

ତାର ପ୍ରଫୁଲ୍ଳ ମୁହଁ ମଉଳିଗଲା । ତଥାପି ମୋର ପଛେ ପଛେ ମୋଟର ଯାଏ ଆସିଲା-। ବୁଝାଇ କହିଲି, ନା ସୁମ, କାଲିକି ତୋତେ ନିଶ୍ଚୟ ନେବି-

ସୁମ ଦୁଃଖରେ ମୁଣ୍ଡ ହଲାଇଲା । ଭଉଣୀର ଅଳି ଦଳି ଗ୍ରହଣ କରିବା ପାଇଁ ସେତେବେଳେ ମୋର ସମୟ ନ ଥିଲା ।

ଗାଡ଼ିକି ଷ୍ଟାର୍ଟ ଦେଲି ।

ଡାକରା ଆସିଲା–ବାବା ଡାକୁଚନ୍ତି । ମୁଣ୍ଡ ଉପରେ ଯେପରି ବଜ୍ର ପଡ଼ିଲା । ସ୍ୱିଚ୍‌କୁ ଅଫ୍ କରି ବାବାଙ୍କ ପାଖରେ ଯାଇ ଛିଡ଼ା ହେଲି । ସେତେବେଳେ ସେ କୌଣସି ଏକ ପ୍ରବନ୍ଧ ରଚନା ଶେଷ କରିବା ଉପରେ । କାଗଜ ମୋ ହାତକୁ ବଢ଼ାଇ କହିଲେ, ଏଇଟାକୁ କାପି କରିଦେତ-

କହିଲି, କାଲିକି କରିଦେବି–

ନା, କାଲିକି ପତ୍ରିକାକୁ ପଠାଯିବ–ଆଜି ଲେଖିଦେ । ବାବାଙ୍କର ଆଦେଶ । ଶରାହତ ମୃଗ ପରି ଘରକୁ ଫେରିଲି । ବାବାଙ୍କ ଉପରେ ବିରାଗ ଜାତ ହେଲା । ତଥାପି ଜନ୍ମଦାତା । ପୁଅର ଭଲମନ୍ଦ ବୁଝିବା ତାଙ୍କରି ହାତରେ । ଆଜି କାହା ପାଇଁ ଏ ଆତୁର ହୃଦୟ ସମୁଦ୍ରପ୍ରାନ୍ତକୁ ଧାଇଁ ଯାଉଚି ? ଯଦି ଏ ସବୁ ପରେ ବାପା ସେଇଠି ବିବାହ କରିବାକୁ ମନା କରନ୍ତି ? ତେଣେ ବୀଣା ଆସି ମୋର ପ୍ରତୀକ୍ଷାରେ ଚାହିଁ ବସିଥିବ–ମନରେ ଶତ କଳ୍ପନା ଘେନି ମୋର କ୍ଷଣ ବିଳମ୍ବକୁ ଗୋଟାଏ ଯୁଗ ମଣୁଥିବ–କ୍ଷୁବ୍ଧ ହୃଦୟରେ ଦୂର ଦିଗ୍‍ବଳୟ ଆଡ଼େ ଚାହିଁ ଚାହିଁ ଫେରିଯିବ । ଏ ସବୁ ଭାବନାରେ ମୋର ଛାତି ଥରି ଉଠିଲା ।

ହର୍ମ୍ୟ ତଳେ ଗାଡ଼ି ଷ୍ଟାର୍ଟ ହେଲା । ବାତାୟନ ମାର୍ଗ ରେ ଚାହୁଁ ଚାହୁଁ ବାବା ଓ ସୁମ ମୋଟରରେ ଚାଲିଗଲେ । ଆହୁରି ବାଧା ପାଇଲି । ବୀଣା କ’ଣ କରୁଥିବ ! ଆଶାୟିତ ହୋଇ ମୋତେ ଚାହିଁ ରହିଥିବ ।

ଝଟ କିନା ଲେଖା ଶେଷ କରି ଚାଲିଯିବା ପାଇଁ ଭାବିଲି । କିନ୍ତୁ ଦଶ ପୃଷ୍ଠାର ଗୋଟାଏ ମସ୍ତବଡ଼ ପ୍ରବନ୍ଧ ଘଣ୍ଟାକ ଭିତରେ ଶେଷ କରିବା ଅସମ୍ଭବ । ମନେ ହେଲା ମୋଟରରେ ଯାଇ ବୀଣାକୁ ଏ କଥା କହି ଆସିବି । କିନ୍ତୁ ଯଦି ବାବା ଦେଖନ୍ତି ? ଅଣିଶି ବର୍ଷର ପୁଅକୁ କିଛି କହିପାରିବେ ନାହିଁ ସତ । କିନ୍ତୁ ମନରେ ଅସନ୍ତୋଷ ଜାତ କରିବାର କାରଣ ହେବି ।

ଗତକାଲିର ପ୍ରତିଶ୍ରୁତି ପରେ ଏ ନଯିବାର ବୀଣା କ’ଣ ଭାବିବ ? କ୍ଷଣିକ ଲାଳସାରେ ମୁଁ ଉତ୍ତେଜିତ ହୋଇ ତାର ଜୀବନକୁ ନଷ୍ଟ କରିବାକୁ ଯାଉଚି ବୋଲି ଭାବିବ ନାହିଁ ? ତେବେ ଆଉ ହୃଦୟ ଦେଇ କି ସେ ମତେ ଭଲ ପାଇପାରିବ ? ମୋର କଳ୍ପନାସୌଧ ଭୂମିକମ୍ପରେ ଯେପରି ହଠାତ୍ ଭୂମିସାତ୍ ହେଲା । କିନ୍ତୁ କରିବି କ’ଣ ? ନିଃସହାୟ । ନିରୁପାୟ ଭାବରେ ଲେଖିବା ପାଇଁ କଲମ ଧଇଲି । କିନ୍ତୁ-

ସାଢ଼େ ସାତ ବାଜିଲା । ଛାତିରେ ମାଡ଼ି ଆସିଲା ଉଦ୍‌ବେଗର ଜୁଆର । ମିଳନର ମଧୂ ଆସ୍ୱାଦନ ବଦଳରେ ବିରହର ଏ ତିକ୍ତତା ଚାଖିବାକୁ ଥିଲା ମୋ କପାଳରେ ।

ଗାଡ଼ି ଆସି ପୋର୍ଟିକୋରେ ଛିଡ଼ା ହେବାର ଶବ୍ଦ ଶୁଣିଲି । କାଳେ ବାବା ଆସି ଘଣ୍ଟାକ ଭିତରେ ମୋର ଏ ଚାରି ଧାଡ଼ି ଲେଖା ଦେଖି କ’ଣ କହିବେ, ସେ କଥା ମୋତେ ବିବ୍ରତ କଲା । କଲମ ଧଇଲି । ପାଞ୍ଚଟି ଧାଡ଼ି ଲେଖିଚି ସୁମ ଡେଇଁ ଡେଇଁ ଆସି କହିଲା, ନନା- ବୀଣା ଅପା ଆଉ ଅରୁ ବୀଚ୍‌ରେ ଥିଲେ, ଦେଖି ଆସିଚି, ୟୁ- ୟୁ- ତମେ ସିନା ନେଲନି ।

ବିରକ୍ତ ଓ ରାଗ ଜାତ ହେଲା । କିନ୍ତୁ ସମ୍ଭାଳି ପଚାରିଲି, ବୀଣା ଆଉ ଅରୁ ଆସିଥିଲେ ? ମାଉସୀ ?

ନା

ସେମାନେ ଚାଲିଗଲେ ?

ନା, ସେମାନେ ଯିବା ଆଗରୁ ଆମେ ଚାଲି ଆସିଲୁ ।

ବୀଣା ମୋ ପାଇଁ ଅପେକ୍ଷା କରି ରହିଚି । ମ୍ରିୟମାଣ ହେଲି । ସେ କ’ଣ ଭାବୁଥିବ ? ସାଥିରେ ଅରୁ ଆସିଚି କିଆଁ ? ଆମ ଭିତରେ ଅରୁର ସମନ୍ଧ କ’ଣ ? କେଉଁ ମର୍ମରେ ବୀଣା ଅରୁକୁ ଆଣିଚି ? ବୁଝି ହେଲାନି । ପଚାରିଲି, ଅରୁ ଆସିଥିଲା ସୁମ ।

ସେ Illustrated Weekly ପୃଷ୍ଠା ଲେଉଟାଉ ଲେଉଟାଉ କହିଲା, ହଁ ।

ବୀଣାର ଏ ଛଳନାରେ ବିସ୍ମିତ ହେଲି । ହୃଦୟ ଦେଇଚି ବୋଲି କହି ମୃଗତୃଷ୍ଣା ପଛରେ ମୋତେ କ’ଣ ଧାଉଁଡ଼ୋଉଛି ?

ମୁଁ ବୀଣାକୁ ଉପେକ୍ଷା କରିବା ପାଇଁ ଲୋଡ଼ୁନି–ପ୍ରେମିକ ସାଜିବା ପାଇଁ ବାହାଦୁରି କରିନି-। ଲୋଡ଼ୁଚି ମୋର ଜୀବନ ଗତିରେ ତାକୁ ସଙ୍ଗିନୀ କରି ସହଧର୍ମିଣୀ କରିବା ପାଇଁ । ଅନ୍ତରର ପଦ୍ମ-କୋରକକୁ ତାର କର ପରଶରେ ଫୁଟାଇ ଦେବା ମୋର ଲକ୍ଷ । ଭିତରେ ଆନନ୍ଦ । ଏଇ କଳ୍ପନା ଅନ୍ୟାୟ କିମ୍ବା ଅଧର୍ମ ନୁହେ । ଏଇ ନ୍ୟାୟ ରୀତିରେ ବୀଣା ଉପରେ ମୋର ସର୍ବସତ୍ତ୍ୱ ଅଧିକାର ଅଛି–ଶାସ୍ତି ଦେବାର ବଳ ଅଛି ।

ନନା, ସିମିତି କ’ଣ ବସିଚ ? ହଠାତ୍ ମୋର ଉଦାସୀନତାକୁ ଲକ୍ଷ୍ୟକରି ସୁମ କହିଲା ।

ଚମକି ପଡ଼ି କହିଲି, କିଛି ନୁହେ ସୁମ, ବାବାଙ୍କ ଏଇ ପ୍ରବନ୍ଧଟା ତୁ ଡାକିଦେତ–ବେଗି ବେଗି ଲେଖି ହୋଇ ଯିବ–

କ’ଣ କହୁଚ, ବାବାଙ୍କର ପ୍ରବନ୍ଧ ମୁଁ ପଢ଼ି ପାରିବି ?

ସତ କଥା । ଆଠ ବର୍ଷର ଛୁଆ ଏ ସାହିତ୍ୟିକ ଆଲୋଚନା କିମିତି ପଢ଼ିବ । ଅର୍ଥହୀନ ଅନୁରୋଧ କରିବାରେ ନିଜେ ଲଜ୍ଜିତ ହେଲି ।

ଖାଇବାକୁ ଯିବା ପାଇଁ ଖବର ଆସିଲା । ସୁମକୁ ଧରି ଚାଲିଲି ।

ଜଳଧିର ନିରବଧି ଗର୍ଜନରେ ଶୂନ୍ୟତା ରହି ନ ପାରେ । ପ୍ରକୃତି ଯେପରି ଅସରନ୍ତି, ଅସୀମର ଚିରନ୍ମୟୀ ପ୍ରତିମା, ଅଶାନ୍ତର ଶାନ୍ତି ପ୍ରଦାୟିନୀ, ନିରାଶାର ଆଶା ସ୍ୱରୂପିଣୀ, ସେଥିରେ ଜୀବନ ରିକ୍ତ ହେବା ଅଭିଶାପ ନୁହେ କି ? ସେଇ ଅଭିଶପ୍ତ ପ୍ରାଣ ଧରି ମୁଁ ଜନ୍ମ ପାଇନି; ଧରାକୁ ବିଷାଦ ବିଷ ଚକ୍ଷୁରେ ଦେଖିବା ପାଇଁ ମତେ ବିଶ୍ୱ-ଜୀବନ ପଠାଇ ନାହାନ୍ତି । ସୁନ୍ଦର ଜଗତରେ ସୁନ୍ଦର ସୃଜନା କରି ସେଇ ସୁନ୍ଦର ପଥରେ ଚାଲିଯିବା ପାଇଁ ତାଙ୍କର ଇଙ୍ଗିତ ।

ବୀଣା, ଏଡ଼େ ସୁନ୍ଦର ରଜନୀ, ଏଡ଼େ ସୁନ୍ଦର ପୃଥିବୀ, ଆଗରେ ଚନ୍ଦ୍ରାଲୋକିତ ସମୁଦ୍ର ଲହରୀ ଅନାଦିକାଳରୁ ଧରଣୀ ବକ୍ଷ ଉପରେ ଘନ ଘନ ଚୁମ୍ବନ ଦେଇ ଆସିଚି । ଏଇ ସୁଷମା ସତ୍ୟ ଆଉ ନିତ୍ୟ । ତମେ ଯଦି ବାଞ୍ଛା କର ଆମର ହୃଦୟ ବିନିମୟ ଭିତରେ କିଛି ସତ୍ୟ ରଖିବା ପାଇଁ ତେବେ ସେଇ ସାଗର ପ୍ରତି ଥରେ ଚାହଁ । ପ୍ରଣୟର ସ୍ୱରୂପ ଶିଖିବା ପାଇଁ ଆମର ସେ ଦେବତା । ଏଇ ପ୍ରକୃତିକୁ ଯଦି ତମେ ବିଶ୍ୱାସ କର ତେବେ ଭାବିବାକୁ ପଡ଼ିବ ଆମର ପ୍ରେମ ଚିରନ୍ତନ–ଅସୀମ-

ବୀଣାର ଦୃଷ୍ଟି ସେଇଠି ଲୀନ ହୋଇଯାଇଥିଲା–ଯେଉଁଠିକି ଆକାଶ ଓ ସାଗର ଅକଳ୍ପନୀୟ ଯୁଗରୁ ପ୍ରଣୟୀ-ପ୍ରଣୟିନୀ ପରି ଜଡ଼ି ରହିଛନ୍ତି ।

ବୀଣା

ଉଁ

ଶୁଣିଚ

ହଁ–ପ୍ରକୃତି ସତ୍ୟ ଆଉ ନିତ୍ୟ–କିନ୍ତୁ ଅସୁନ୍ଦରଠାରେ ସୁନ୍ଦରର ରୂପ, ବିଷଠାରେ ଅମୃତର ଆସ୍ୱାଦ, ବିରହ ଠାରେ ମିଳନର ହାର୍ଦ୍ଦିକତା ପୁଣି ଅଛି । ମଙ୍ଗଳ କରିବାକୁ ଗଲାବେଳେ ଅମଙ୍ଗଳର ସମ୍ଭାବନାକୁ ପାଞ୍ଚି ଜାଗ୍ରତ ରହିବା ମନୁଷ୍ୟର କର୍ତ୍ତବ୍ୟ । ଏତିକି କହି ବୀଣା ମୋ ମୁହଁକୁ ଅବଶ ଭାବରେ ଚାହିଁ ରହିଲା ।

ମୁଁ ସବୁକଥା ଜାଣେ, ବୀଣା । ଭଲମନ୍ଦ ବିଚାର କରି ଆଜି ତମର ହାତ ଧରିବାକୁ ଯାଉଚି-ତମେ କିନ୍ତୁ ତାହା ବୁଝି ପାରୁନା ।

ବୁଝିଚି । ଏଇ ବର୍ଷକ ଭିତରେ ତମ ପ୍ରତି ମୋର ଯେଉଁ ଅକୁହା ସ୍ନେହ ଗୁମୁରି ଉଠି ଦୁଇ ଦିନ ତଳେ ଆମର ଏକୁଟିଆ ଦେଖାରେ ରୂପରେଖ ନେଇଚି, ସେଥିରେ ମୋର ଅନ୍ତର ଥରି ଉଠିଛି-। ଆଉ ଗତକାଲିର ଏ ଉପେକ୍ଷା ପାଇ ବି ଅନ୍ତର ଥରି ଉଠିଚି । କିନ୍ତୁ ସେଥିର ପ୍ରଭେଦ ତୁମେ ବୁଝି ପାରିବନି ।

ବୀଣାର କଥା ମୋ ଛାତିରେ ଆନ୍ଦୋଳନ ସୃଷ୍ଟି କରିଦେଲା । ତେଣେ ବାବାଙ୍କର ଆଦେଶ, ଏଣେ ପ୍ରେମ-ପ୍ରତିମାଠାରେ ପ୍ରତିଶ୍ରୁତି ରକ୍ଷା । ଆସିବା ପାଇଁ ଅନୁନୟ କରି ବୀଣା ମୋର ପ୍ରଥମ ଥର ପାଦ ଛୁଇଁ ପ୍ରଣାମ ଜଣାଇଥିଲା । ଗଲାବେଳକୁ ତାର ଚକ୍ଷୁ ଛଳ ଛଳ ହୋଇଆସିଥିଲା । କିନ୍ତୁ ମୁଁ ଆସିପାରିନଥିଲି ।

ମାନବକୁ ପରୀକ୍ଷା କରିବା ପାଇଁ ସ୍ରଷ୍ଟାର ଏକ ଖେଳ ? ଜୀବନ-ପଥରେ ଏପରି ପ୍ରତିଘାତ ଆସେ କାହିଁକି ? ହାତ ଧରି କହିଲି, ବୀଣା, ମୁଁ ଯେଉଁ ଏକ କ୍ଷୁଦ୍ର ସମାଧାନ ଦେବା ପାଇଁ ଯାଉଚି ସେଥିରେ ତମର ବିଶ୍ୱାସ ହେବନି ମୁଁ ଜାଣେ; ତମେ ମତେ ସେଥିପାଇଁ କ୍ଷମା ଦେଇ ପାରିବ ନାହିଁ ।

ବୀଣା ମୋ ତୁଣ୍ଡକୁ ଚାପି ଧରି କହିଲା, ନା, କ୍ଷମା କରନ୍ତୁ, ଆପଣଙ୍କଠାରୁ ମୁଁ ସମାଧାନ ପାଇବାକୁ ଚାହୁଁନି ।

ହାତ ଛଡ଼ାଇ କହିଲି, ନା, ବୀଣା, ଟିକିଏ ଶୁଣ ।

ନା, ମୋର ରାଣ ଅଛି ।

କି

ମୁଁ କାରଣ ଖୋଜୁନି

କି

ନା–

କାହିଁକି ?

ନା–

କହିବାକୁ ପଡ଼ିବ ।

ବିଶ୍ୱାସ ପାଖରେ ମୁଁ କାରଣ ଖୋଜୁନି ?

ସତ କହୁଚ, ବୀଣା, ସତରେ କ’ଣ ତମେ ମତେ ଭଲ ପାଅ ?

ବୀଣା କିଛି ନ କହି ମୋର ବାଁ ହାତ ସହିତ ଖେଳିବାକୁ ଲାଗିଲା ।

ଉଆଲ୍‌ଟିଅର ସମୁଦ୍ର ତୀରରେ ଆମେ ଦୁହେଁ ଭାବ ବିଭୋର ହୋଇ ଏପରି କଥାବାର୍ତ୍ତା କରୁଥିଲୁ । ପୂର୍ବ ଅଭିମୁଖୀ ଭିକ୍ଟୋରିଆ ଜାହାଜ ଯାତ୍ରାରମ୍ଭ କରି କ୍ଷିପ୍ର ଗତିରେ ଚାଲିଚି । ତଥାପି ଏ ପ୍ରଶାନ୍ତ ସାଗରରେ ତାର ଗତି ମନ୍ଥର ପରି ମନେ ହେଲା । ବିଶ୍ୱବିଦ୍ୟାଳୟ ଆଡ଼ୁ ଉଜ୍ଜ୍ଵଳ ଆଲୋକ ସଂପାତ କରି କାହାର ଗୋଟାଏ ମୋଟର ଗାଡ଼ି ଚାଲିଗଲା ହସ୍ପିଟାଲ୍‍ ରୋଡ଼ ଉପରେ ।

ସମ୍ମୁଖରେ ସାଗର ବିସ୍ତୃତ ନୀଳ ତଳ୍ପ ପାରି ଶାନ୍ତ ଶୋଇ ଆସୁଥାଏ । କ୍ରମେ ଆକାଶରେ ଅର୍ଦ୍ଧ ଭାଗକୁ ରଞ୍ଜିତ କରି ଚନ୍ଦ୍ର ହସି ଉଠିଲା । ବିଶାଳ ସୈକତ ଜ୍ୟୋସ୍ନାର ସ୍ପର୍ଶରେ କମନୀୟ ଦେଖାଗଲା ।

ସଂଧ୍ୟା ସମୀରଣରେ ବୀଣାର ସ୍ନିଗ୍ଧ ଲଲାଟ ବେଷ୍ଟିତ କୁଞ୍ଚିତ କେଶ ଦୋହଲି ଯାଉଥିଲା-

ବୀଣା ମୋର ରୁମାଲ୍‌ଟିକୁ ଧରି ଖେଳୁଥିଲା । ହଠାତ୍ ଚମକିଲା ପରି ଠିଆ ହୋଇ କହିଲା, ଯିବି ।

ତାର ମୁଖମଣ୍ଡଳକୁ ଦୁଇ ହାତରେ ଧରି କହିଲି, ଯିବ ?

ଲଜ୍ଜ୍ୟାରେ ସେ ମଥା ନୁଆଁଇ ଆଣିଲା–କହିଲା, ହଁ

ମୋଠୁଁ ବିଦାୟ ନେଇ ଅଳ୍ପ ଦୂର ଯାଇଚି କହିଲି, ମୋର ରୁମାଲଟା ?

ମୁହଁ ବୁଲାଇ ସ୍ଫୁରିତ କଣ୍ଠରେ କହିଲା, ନା, ଥାଉ–

ତାରୁଣ୍ୟ ଉଦ୍ଭାସିତ ସ୍ୱର୍ଣ୍ଣ-ତରଣୀରେ ବସି ଆନନ୍ଦ ଉଦ୍‌ବେଳିତ ସମୁଦ୍ରରେ ଆମେ ଦୁଇ ପ୍ରାଣୀ ଯାତ୍ରାରମ୍ଭ କଲୁ । ଆଗରେ ସୁନ୍ଦର ନୀଳାମ୍ବୁ, ଉପରେ ଶାନ୍ତ ଆକାଶ, ପଛରେ ସୁଜଳା ସୁଫଳା ଭୂମା । ଆମର ଚତୁର୍ଦିଗରେ ପ୍ରକୃତିର ବିଳସିତ ଶୋଭା ବେଷ୍ଟନୀ ପରି ରହି ଯେପରି ଆମର ପ୍ରଣୟକୁ ରୂପାୟିତ କରୁଥିଲା । ଏଇ ଅପୂର୍ବ ସହାନୁଭୂତି ଭିତରେ ମେନ ହେଲା ଆମେ ଦୁହେଁ କୁସୁମିତ ବନାନୀର ଦୁଇଟି ପ୍ରେମରତ କପୋତ କପୋତୀ–ଜଣେ ବିପଞ୍ଚି, ଆଉ ଜଣେ ଲଳିତ ଝଙ୍କାର; ଜଣେ ପରାଗ, ଆଉଜଣେ ସୁଧା; ଜଣେ ଉନ୍ମିଳିତ ପଦ୍ମ, ଆଉ ଜଣେ ନୃତ୍ୟରତ ଅଳି । ପ୍ରେମର ଏଇ ଅଳି-ଦଳି, ସହୋଗ-ଅଭିମାନ, ରାଗ-ଅନୁରାଗ ଭିତରେ ଆମେ ଭୋଗିଲୁ ଅନାବିଳ ହୃଦୟର ନିବିଡ଼ ସଂସ୍ପର୍ଶ । ଦୁନିଆରେ ଯାହାକିଛି ମଳିନ, ନିସ୍ତେଜ, ଅସୁନ୍ଦର ସବୁ ଆମ ଚକ୍ଷୁରେ ତେଜସ୍ୱର ଦିଶିଲା । ସାବଲୀଳ ପ୍ରୀତିର ପ୍ରସ୍ରବଣ ଫିଟିପଡ଼ିଲା । ଅନ୍ତର ପ୍ରଦେଶରୁ ପ୍ରତିଭା ଉନ୍ମେଷିତ ହେଲା । ପ୍ରଣୟର ସାନିଧ୍ୟରେ ପ୍ରତିଭା ଗାଇଲା କାବ୍ୟ-ଗୀତି ।

କବିତା ଲେଖା, ଗଳ୍ପ ରଚନାରେ ଅହର୍ନିଶ ମୋର ମନ ଅନୁପ୍ରାଣିତ ହୋଇ ଉଠିଲା । ସାହିତ୍ୟର ଚାରୁ ଗୁଞ୍ଜରଣରେ ଫୁଟି ଉଠିଲା ବୀଣାର ଆଳାପନା ।

ହଠାତ୍ ଦିନେ ବାବାଙ୍କର ଆଦେଶ ହେଲା ମାନ୍ଦ୍ରାଜ ପ୍ରେସିଡ଼େନ୍ସି କଲେଜରେ ପଢ଼ିବା ପାଇଁ । ମାନ୍ଦ୍ରାଜ ! ମେଘଶୂନ୍ୟ ଆକାଶରୁ ମସ୍ତକ ଉପରେ ପଡ଼ିଲା ଯେପରି କଠୋର କୁଳିଶ ! ବିନିତ ଭାବରେ କହିଲି, ଏଇଠି ପଢ଼ିଲେ ହେବନି

ନା, ଏଇଠି ପଢ଼ିବାକୁ ହେବନି

 

କାହିଁକି ଏଇଠି ପଢ଼ିବାକୁ ହେବନି, ଏକଥା ପଚାରିବା ପାଇଁ ମନ ଡାକିଲା । ଜନ୍ମଦାତା ! କାରଣ ପଚାରିବାର ମୋର ଅଧିକାର ନାହିଁ । ମୁଁ ଜାଣିଲି ତଥାପି କହିଲି, ଏ ବର୍ଷ ବି.ଏ. ପରୀକ୍ଷାଟା ପାସ୍ କରିବି; ମୋର ଆଖି ଅଶ୍ରୁ ଛଳ ଛଳ ହୋଇ ଆସିଲା ।

ଉତ୍ତର ମିଳିଲା, ନା ଏଇଠି ହବନି, ମାନ୍ଦ୍ରାଜ ଯିବାକୁ ପଡ଼ିବ ।

କିଛି କହିଲିନି, କହି ପାରିଲିନି, କହିବା ପାଇଁ ଅଧିକାର ନାହିଁ । ମୋର ସ୍ୱତନ୍ତ୍ର କକ୍ଷକୁ ଫେରିଲି । ଦୁଃଖ ମାଳାକୁ ବରଣ କରିବା ପାଇଁ ବିଧାତାର ଇଙ୍ଗିତକୁ ଗ୍ରହଣ କଲି । ଗତ୍ୟନ୍ତର ନାହିଁ-। ବୀଣାକୁ ଛାଡ଼ିବାକୁ ପଡ଼ିବ । ତାହାର ବିଶ୍ୱାସରେ ବିଷ ଅଜାଡ଼ିବା ପାଇଁ ପଡ଼ିବ । ଚଉଦ ବରଷର କୋମଳ ପ୍ରାଣକୁ ଅର୍ପି ଅନ୍ତରକୁ ବଢ଼ାଇ ଦେଇଥିଲା - ସେଇ କିଶୋରୀ ତାର କୋମଳ ତନୁ, ଦୁର୍ବଳ ମନ ଘେନି ଏ ବେଦନାର ଭାରା କିପରି ସମ୍ଭାଳିବ । ଭାବିନାହିଁ, ଭାବିବା ପାଇଁ ମୋ ଛାତି ସହିପାରୁନାହିଁ । ସହିବା ପାଇଁ ମୋର ଜୀବନ ଶେଷ ହୋଇ ନାହିଁ । କିଛି ଭାବିପାରିଲି ନାହିଁ । ମୀମାଂସା କରିପାରିଲି ନାହିଁ ।

ଘଡ଼ିରେ ବାଜିଲା ଛଅ । ସନ୍ଧ୍ୟା ମୋର ଗୁହାରି ଶୁଣିବା ପାଇଁ ଆଉ ନଥିଲା । କ୍ଷୀଣାଲୋକର ଦୁନିଆ ଭିତରେ ପ୍ରାଣ ଆହୁରି ଦୁର୍ବିସହ ହୋଇ ଉଠିଲା ।

ଅରୁ, ସୁମ ଆଉ ବୀଣା ତିନିହେଁ ମୋର କୋଠରୀରେ ପ୍ରବେଶ କଲେ । ଚମକି ପଡ଼ିଲି-। ଲକ୍ଷ୍ୟ କଲି ହଠାତ୍ ବୀଣା ଯେପରି ଜଡ଼ ପାଲଟି ଯାଇଚି । ଡାକିଲି, ବୀଣା

ବୀଣା ଧୀରେ ଆସି ଶେଯରେ ବସିଲା ।

ସୁମ ମୋର ହାତକୁ ଥରେ ଝାଙ୍କି ଦେଇ କହିଲା, କ’ଣ ନନା ସିମିତି ବସିଚ ?

କିଛି ନୁହେ ସୁମ ଏତିକି କହି ଶେଯରେ ଢଳି ପଡ଼ିଲି ।

ସୁମ କିଛି ନ କହି ଅରୁର ହାତ ଧରି ତଳ ମହଲାକୁ ଟାଣି ନେଇଗଲା ।

ନୀରବତା ଭିତରେ କ୍ଷଣକାଳ ବିତିଗଲା । ବୀଣା ପଦେ କଥା କହିପାରିଲା ନାହିଁ । ସେ ଚାହିଁ ରହିଥିଲା ମୋର ପାଦକୁ ଆଉ ମୁଁ ଚାହିଁ ରହିଥିଲି ତାର ମଉଳା ମୁଖପଦ୍ମକୁ ।

ପଚାରିଲା, କ’ଣ ହେଲା ?

ତୁଣ୍ଡରୁ ବାକ୍ୟ ସ୍ପୁରିଲା ନାହିଁ ।

ମୋର ଗୋଡ଼କୁ ଥରେ ଝାଙ୍କି ସେ କହିଲା, କଥା କହିବନି ?

ନା, ବୀଣା, ବାବାଙ୍କର ଆଦେଶ ମୁଁ ମାନ୍ଦ୍ରାଜରେ ପଢ଼ିବାକୁ ହେବ ।

କି ?

ଜାଣେନି କାହିଁକି ।

ବୀଣାର ମୁହଁକୁ ଚାହିଁ ବୋଧ କଲି ସତେକି ତାର ମୁଣ୍ଡରେ ବଜ୍ର ଛିଡ଼ି ପଡ଼ିଚି । ତାର ଗଣ୍ଡଦେଶକୁ ପ୍ଲାବିତ କରି ମୋର ପାଦ ଉପରେ ଝରିପଡ଼ିଲା ଉଷ୍ଣ ଲୋତକ । ପାଖକୁ ଟାଣି ଆଣି କହିଲି, ବୀଣା, ଦୁଃଖ କରନା, ବାବାଙ୍କର ଆଦେଶ ମୁଁ ମାନିବାକୁ ପଡ଼ିବ; ଦୀର୍ଘ ବିଚ୍ଛେଦ ପରେ ଆମର ମିଳନ ଅତି ମଧୁର ହୋଇ ଉଠିବ-। ତାର ଗଣ୍ଡକୁ ଥରେ ମୋର ବସ୍ତ୍ରାଞ୍ଚଳରେ ପୋଛିଦେଲି-

ବୀଣା କିଛି କହି ପାରିଲା ନାହିଁ । ବୋଧହୁଏ କହିବା ପାଇଁ ଭାଷା ଥିଲେବି ଭାବ ଅବରୁଦ୍ଧ ହୋଇଯାଇଥିଲା ।

ବୀଣା–ତଳ ପୁରରୁ ଲଳିତା ଦେବୀଙ୍କ ଡାକ ଶୁଭିଲା । ବୀଣା ବ୍ୟତିବ୍ୟସ୍ତ କଣ୍ଠରେ କହିଲା, ମା ଡାକୁଛି ଯିବୁ ?

ନିରୁତ୍ତର

ପୁଣି ଶୁଭିଲା, ବୀଣା

କହିଲି, ହେଉ, ଯା’

ଅଶ୍ରୁ ଛଳ ଛଳ ନୟନରେ ବୀଣା ମୋ ଆଡ଼େ ଚାହିଁ କହିଲା, ଯିବି ?

ପୁଣି ଶୁଭିଲା, ବୀଣା

ବୀଣା ଅଧା ବାଟ ଯାଇ ପୁଣି ମୋ ଆଡ଼େ ଅନାଇ କହିଲା ଯିବି–

ହଁ, ଯା’ ବୀଣା, ବଡ଼ ଘରେ ଜନ୍ମ ପାଇ ଆମେ ପାପୀ ହୋଇଚୁ, ଯା’।

ବୀଣା ସେଇଠି ଟିକିଏ ଛିଡ଼ା ହୋଇ ପୁଣି ମୋ ଆଡ଼େ ଚାହିଁ ଚାଲିଗଲା ।

ସେଇ ହେଲା ବୀଣାଠାରୁ ମୋର ବିଦାୟ । ପୃଥକ ଭାବରେ ଆଉ ବିଦାୟ ନେବା ପାଇଁ ସମୟ ନଥିଲା । ସେ ଭାବିଥିଲା ମୁଁ ଯିବା ଆଗରୁ ପୁଣି ସାକ୍ଷାତ ହେବି ବୋଲି । ତଥାପି ଆର ଦିନ ଡାକଗାଡ଼ିରେ ମୁଁ ବିଶାଖାପାଟଣା ଛାଡ଼ିବାକୁ ପଡ଼ିଲା ।

ମାନ୍ଦ୍ରାଜରେ ପହଞ୍ଚି ହଷ୍ଟେଲ୍‍ ଜୀବନ କଟାଇବାକୁ ଲାଗିଲି । କଲେଜରେ ପଢ଼େ, ତଥାପି ମୋର ସ୍ପୃହା ନଥିବା ପଢ଼ା ସେ । ଲାଭ କ’ଣ ? ବିରହ-କବିତା ପଢ଼ିବା ଛଡ଼ା ପାଠ୍ୟବହି କ୍ୱଚିତ୍ ଦେଖେ କେବଳ ବାବାଙ୍କ ଭୟରେ । ଦିନଟିଏ ଯୁଗଟିଏ ପରି ଲାଗୁଥିଲା । ବୀଣାର ସାକ୍ଷାତ୍‍ ପାଇପାରିଲି ନାହିଁ । ପାଇବି କିପରି ? ଚିଠି ଦେବା ପାଇଁ ଛାତି ଭୟରେ ଥରି ଉଠୁଥାଏ । ବଡ଼ଘର କାରବାର । ଯଦିଚ ଗିରିଧର ବାବୁଙ୍କ ହାତରେ ପଡ଼େ, ତେବେ ବୀଣାର ଗତି ହେବ କ’ଣ ? ବୀଣା ଯେ ମୋର ପ୍ରଣୟକୁ କିପରି ଅନୁଭବ କରୁଥିବ, ତାହା ମୁଁ ଜାଣେ; ତାହା ମୁଁ ଜାଣିବା ପାଇଁ ସେ ମତେ ଶିଖାଇ ଦେଇଚି । ସୁମଠାକୁ ମୁଁ ଚିଠି ଦିଏ । ବୀଣାର ସୁଖଦୁଃଖ ପଚାରେ ଅତି ଅପ୍ରତ୍ୟାଶିତ ଭାବରେ । ତଥାପି ଲେଖିପାରେ ନାହିଁ ଯେ ତାର ଲଫାପା ଭିତରେ ବୀଣାକୁ ଚିଠି ଦେବାପାଇଁ କହିବାକୁ । ବୀଣା ବା ପତ୍ର ଦେବା ପାଇଁ ଠିକଣା ପାଇବ କେଉଁଠୁ ? କିଏ ତାକୁ ଅଯାଚିତ ଭାବରେ ଠିକଣା ଦେବ ? ତାର ହୃଦୟ କିଏ ଜାଣିବ ? ସେ ବା ତୁଣ୍ଡ ଫିଟାଇ ମୋର ଠିକଣା ମାଗିବ କିପରି-?

ଏଇଠି ସେଇ ନୀଳ ରତ୍ନାକର ଗୁରୁ ଗର୍ଜ୍ଜନ କରି ଚାଲିଚି; ସେଇ ଯାମିନୀ ତାରକା-ପୁଷ୍ପକୁ ବିଚ୍ଛୁରିତ କରି ବୁଲୁଚି; ସେଇ ଚିକ୍କଣ ସୈକତରେ ଚନ୍ଦ୍ରିକା କ୍ରୀଡ଼ା ରଚିଚି; ଆଗରେ ସେଇ ସମୁଦ୍ର, ଉପରେ ସେଇ ଆକାଶ, ଚାରି ଦିଗରେ ସେଇ ଧରଣୀ । ତଥାପି ମୋର କେହି ନୁହନ୍ତି । ନିଖିଳ ବିଶ୍ୱ ମୋର ଯେପରି ପର । ଅଟ୍ଟହାସ କରି ମୋର ଏ ନିଃସଙ୍ଗ ମନକୁ ମ୍ରିୟମାହଣ କରିବାରେ ଯେପରି ଆନନ୍ଦ ଲାଭ କରୁଚନ୍ତି ।

କୁମାରାପ୍ପା ଆସି ଡାକିଲା, ଆସ ଥରେ ବୀଚ୍ ଆଡ଼େ ବୁଲି ଆସିବା–

ମୋର ତନ୍ମୟତା ଭାଜିଗଲା । କହିଲି, କାଲିକି ଯିବା ଛାତ୍ର ମହଲରେ କୁମାରାପ୍ପା ମୋର ଘନିଷ୍ଠ ମିତ୍ର । ସେ ମହୀଶରରୂ ଆସିଚି- ଭଲ ବେହୁଲା ବଜାଇ ଜାଣେ । ମୁଁ ତାଠୁଁ ଶିଖିଥାଏ ବେହୁଲା । ସ୍ନେହ ନିର୍ବନ୍ଧରେ ମୋର ହାତ ଧରି କହିଲା, ଆସ ଥରେ ବୁଲି ଆସିବା; ସଦାବେଳେ କ’ଣ ଗୋଟାଏ କବିତା ଲେଖାରେ ମୂକ ପରି ବସି ଦିନ କାଟୁଚ ।

ମାନିବାକୁ ପଡ଼ିଲା । କହିଲି, ଚାଲ

ସେ ମୋର ବେଶ-ପ୍ରସାଧନ ପ୍ରତି ଚାହିଁ ହସିଲା, କହିଲା,କ’ଣ ଗୋଟାଏ ପାଗଳଙ୍କ ପରି ବାହାରୁଚ; ବଡ଼ଘର ପିଲାର ଏ ବେଶ ଦେଖିଲେ ଲୋକେ କ’ଣ ଭାବିବେ ?

ମୁଁ କଥାକୁ ଉଡ଼ାଇ ଦେଇ କହିଲି, ଚାଲ୍ ଚାଲ୍, ଆମକୁ ଦେଖିବା ଲୋକ ଏଇଠି କେହି ନାହାନ୍ତି–

ଭଗ୍ନ ହୃଦୟକୁ ଶୀର୍ଣ୍ଣ ତନୁରେ ବହନ କରି ବୀଣାର ଚାଲି ଚଳଣ ବଦଳି ଯାଇଚି ।

ଆମ ଘରକୁ ଆଉ ସେ ପୂର୍ବ ପରି ବାରମ୍ବାର ଆସୁ ନାହିଁ । କେବେ କେମିତି ଅହେତୁକ ଭାବରେ ଲୋକ ଲୋଚନକୁ ଦେଖାଇ ହେବା ପାଇଁ ଆସେ । ଆସେ, ନୀରବ ଭାବରେ ବସେ, ଦେଖେ ଯାହା କିଛି, ପୁଣି ନୀରବ ଭାବରେ ତଳକୁ ଚାହିଁ ଚାହିଁ ଚାଲିଯାଏ । ମୁହଁରେ ହସ ନଥାଏ, ଆଖିରେ ଜ୍ୟୋତି ନଥାଏ, ଦେହରେ କମ୍ପନ ନଥାଏ । ବୀଣାର ଏଇ ବିରହକୁ ବୁଝି ନ ପାରି ସୁମ ମୋ ପାଖକୁ ଲେଖିଥିଲା, ବୀଣା ଅପା କେବେ କେବେ ଆମ ଘରକୁ ଆସନ୍ତି, କିନ୍ତୁ ଆଉ ମୋ ସହିତ ହସ ଖେଳ କରୁ ନାହାଁନ୍ତି । ମତେ ଦେଖି କହନ୍ତି ନାନା ପାଖକୁ ଚିଠି ଲେଖିଲେ ମୋ ନାରେ ପଦେ ଲେଖିଦେଇଥିବୁ । ଏତିକିରେ ମୋ ସହିତ ତାଙ୍କର କଥା ଶେଷ । ମୁଁ କ’ଣ ଦୋଷ କଲିଯେ ମୋ ସାଥିରେ କଥା ହେଉ ନାହାଁନ୍ତି ନନା ?

ଭଉଣିଠାରୁ ସ୍ନେହ ଭରା ପତ୍ର । ବୀଣାର ମନୋବୃତ୍ତିକୁ ନିଜ ରୀତିରେ ବୁଝି ସୁମ ଲେଖେ ମୋ ପାଖକୁ ଚିଠି-ଦୁଇ ମାସ ତଳେ ବୀଣା ଥରେ ଆମ ଘରକୁ ଆସି ମୋର ସେଇ ପରିତ୍ୟକ୍ତ ସ୍ୱତନ୍ତ୍ର ପ୍ରକୋଷ୍ଠ ଭିତରେ ଗୋଡ଼ ପକାଇଥିଲା । ଟେବୁଲ ଉପରେ ଥିବା ଆର୍କୋ ଫ୍ରେମ୍ ଭିତର ଫୋଟଟିକୁ ବାହାର କରି ଘେନିଯାଇଥିଲା । ତାର ଏ ଚୌର୍ଯ୍ୟ ବୃତ୍ତି ଦେଖି ସୁମ ହସିଲା । ସେ ମିନତିଭରା କଣ୍ଠରେ କହିଥିଲା, କହିବୁନିଟି, ସୁମ–

ସେଦିନ ଶୁଭ୍ର ଅପରାହ୍ନ । ଶୁଭ୍ରମନ୍ୟୁ ଆୟାରଙ୍କ କବିତା କ୍ଲାସ । ଅକ୍ସଫର୍ଡ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଡକ୍ଟର ଉପାଧିଧାରୀ-ଶାନ୍ତଶୀଳ ଭକ୍ତିଭାଜନ ଅଧ୍ୟାପକ । ଆଉ ଏ ସାଧୁ ସ୍ୱଭାବ ଗୁରୁଙ୍କ ଆଖିରେ ଧୂଳି ମାରି ଶିଷ୍ୟମାନେ କ୍ଲାସରୁ ଖସି ପଳାନ୍ତି । ଏଭଳି କେତେ ଛାତ୍ରଙ୍କୁ ଦେଖି ଦେଖି ସେ ବୁଢ଼ା ପାଲଟି ଗଲେଣି ।

ମୁଁ ସେତେବେଳେ ଯେଉଁଭଳି II’ penseroso ପାଲଟି ଯାଇଥିଲି, ସେଥିରେ ତାଙ୍କର ସେଇ କବିତା ବିଶ୍ଲେଷଣ ଶୁଣିବା ପାଇଁ ମୋର ସହିଷ୍ଣୁତା ନଥିଲା । ହଷ୍ଟେଲକୁ ଫେରୁଚି, ପୋଷ୍ଟ ପିଅନ୍ ମୋ ହାତରେ ଗୋଟାଏ କଭର ବଢ଼ାଇଦେଲା । ମୁଁ ଆସୁଥିଲି କ୍ରିକେଟ୍ ପଡ଼ିଆ ବାଟରେ । କା’ ର ଏ ହସ୍ତାକ୍ଷର ବୁଝିପାରିଲି ନାହିଁ । ସୁମର ତ ନୁହେଁ । ଅପ୍ରତ୍ୟାଶିତ ଭାବରେ ଚିରି ଦେଖିଲି ଉପରେ ସଂବୋଧନର ପ୍ରଥମ ସ୍ଥାନଟି ଶୂନ୍ୟ ପଡ଼ିଚି । ଲିପିର ପୃଷ୍ଠା ଲେଉଟାଇ ଦେଖେ ତଳେ ଲେଖାଅଛି ‘ତମର ଭଙ୍ଗାବୀଣା’ । ବୀଣାର କୋମଳ କରି ଅଙ୍କିତ ପ୍ରଣୟ ପତ୍ର ଏ ! ବିଶ୍ୱାସ କରି ହେଲାନି । ସେ ମୋର ଠିକଣା ପାଇଲା କିପରି ? ତାକୁ ଦେଲା କିଏ ?

ପ୍ରଣାମ,

ତମେ ଏଇଠୁ ଯାଇ ଆଜକୁ ପ୍ରାୟ ସାତ ଆଠ ମାସ ହେଲାଣି । ଥରେ ଆସିନ କି ଚିଠି ଖଣ୍ଡେ ବି ଦେଇନ । ସ୍ନେହ ପାଇଁ ସିନା ପ୍ରତିଶ୍ରୁତି ଦେଇଥିଲ ଚିଠି ଦେବି ବୋଲିତ ଆଉ କେବେ ମୋ ହାତରେ ହାତ ପକାଇ ପ୍ରମାଣ କରିନାହଁ । ତମେ ମତେ ସତରେ ଭଲ ପାଇଚ କି ଛଳନା ଦେଖାଇଚ ସେକଥା ସବୁ ମୁଁ ଭାବୁନି । ମୁଁ ହୃଦୟ ଦେଇ ଭଲ ପାଇଚି । ଏଇ ତୃପ୍ତି ମୋର ଯଥେଷ୍ଟ-। ମୋର ସ୍ନେହକୁ ଯେଉଁଭାବରେ ତମେ ନେଇ ଖେଳ ପଛେ ତାହା ଛଡ଼ାଇ ଆଣିବାର ଶକ୍ତି ମୋ ଠାରେ ଆଉ ନାହିଁ । ସୁଖରେ ସାହାଯ୍ୟ ହେବାପାଇଁ ସିନା ମତେ ଖୋଜୁଥିଲ ଦୁଃଖରେ କ’ଣ ସମଭୋଗୀ ହେବାକୁ ଲୋଡ଼ିଚ । ସ୍ନେହର ସ୍ୱରୁପକୁ ଦେଖାଇବା ପାଇଁ କଥା ପଡ଼ିଲେ ମତେ ସହଧର୍ମିଣୀର ଅର୍ଥ ବୁଝାଉଥିଲ । ତାର ଅର୍ଥ ବୁଝିଚି । ମୁଁ ନାରୀ, ଅବଳା ଅବିବାହିତା । ମୋର ଯାହାକିଛି ମାନମର୍ଯ୍ୟାଦାକୁ ଦାଣ୍ଡରେ ପକାଇ ଚିଠି ଦେବି । କିନ୍ତୁ ତମେ ପୁରୁଷ ହୋଇ ଦେବନି ! ତମର ଠିକଣାଟା ମୁଁ କିପରି ଭାବରେ ପାଇଚି ତାହା ତମେ ବୁଝିପାରିବ ତ । ଭୀରୁର ଭୟକୁ ଛାଡ଼ି, କୁଳଶୀଳାର ଲଜ୍ଜ୍ୟାକୁ ଏଡ଼ି ସୁମଠାରୁ ମୁଁ ପାଇଚି । କହିବ ସୁମ ତ ଆପଣା ଘରର ପିଲାଟା, ତା ପାଖରେ ଏ ଲଜ୍ଜା ଭୟ କାହିଁକି ? କିନ୍ତୁ ମୁଁ ପୁରୁଷ ନୁହେ, ସ୍ତ୍ରୀ । ମୁଁ ସ୍ତ୍ରୀ କି ପୁରୁଷ ତମେ ଜାଣିନାହଁ-। ଭାବିଚ ଜଣେ ମାଟିର ପିତୁଳା ।

ତମେ ଶୁଣି ଖୁସି ହେବକି ନା ମୁଁ ଜାଣିନି । ତଥାପି ଲେଖୁଚି ମୁଁ ଆଉ ବାବା ମାନ୍ଦ୍ରାଜ ଯାଉଚୁ । ଅଲ ଇଣ୍ଡିଆ ରେଡ଼ିଓରେ ବୀଣାରେ ଗାଇବାକୁ ମତେ ଡାକରା ଆସିଚି । ରେଡ଼ିଓ ଲୋକେ ତାଙ୍କ କେମ୍ପରେ ଚାରି ମାସ ତଳେ ଆସି ମୋର ଗୀତ ଶୁଣି ଯାଇଥିଲେ । ୧୮/୮/୪୨ରେ ମୋର ପ୍ରୋଗ୍ରାମ ଅଛି । ଆମେ ଷୋହଳ ତାରିଖ ମେଲ୍‌ରେ ବାହାରି ସତରରେ ପହଞ୍ଚୁଚୁ । ଯଦି ଯୋଗ ଥିବ ଦେଖିବି । ଦୋଷ ଥିଲେ କ୍ଷମା କରିବ । ପ୍ରଣାମ ।

ଇତି, ତମର ଭଙ୍ଗା ବୀଣା ।

ବୀଣାର ସ୍ନେହାଙ୍କିତ ଲିପି ପାଇ ହୃଦୟ ଅସୀମ ଆନନ୍ଦରେ ଉଚ୍ଛୁଳି ପଡ଼ିଲା । ତାର ନିଷ୍ଠୁର ବାଣୀ ମଧ୍ୟ ସନ୍ତୋଷ ଦେଲା । ସେ ତ ଆଉ ନିଷ୍ଠୁରତା ନୁହେ, ଅଭିମାନ । ପ୍ରଣୟର ଆବେଗରେ, ବିରହର ଉତ୍ସ୍ୱାସରେ ସେ ମତେ ଗାଳି ଦେଇଚି । ସେଥିରେ ତାର ଅଣୁମାତ୍ର ଦୋଷ ନାହିଁ । ପ୍ରଣୟିନୀ ଠାରୁ ଗାଳି ଶୁଣିବା ଅପମାନର ବିଷୟ ନୁହେ । ସେ ଯାହା ଲେଖିଚି ଅକ୍ଷରେ ଅକ୍ଷରେ ସତ୍ୟ । ନାରୀର ମହତ୍ ଆଦର୍ଶ, କୁଳ ସମ୍ମାନ ମୁଁ ବୁଝିପାରି ନଥିଲି । କିନ୍ତୁ–ଯଦି ମୋର ପତ୍ରଖଣ୍ଡିକ ଗିରିଧର ବାବୁଙ୍କ ହାତରେ ପଡ଼େ ? ନା, ବୀଣା ବୁଝିପାରିନି, ସେ ମତେ ଭୁଲ୍‍ ବୁଝିଚି । ସେ ମୋର ସ୍ନେହକୁ କ୍ରମେ ଦୂରେଇ ନେବାକୁ ଏ ସେତୁବନ୍ଧ ବାନ୍ଧୁଚି ।

ନା, ବିଶ୍ୱାସ କରିପାରିଲି ନାହିଁ ଯେ ବୀଣା ମତେ ପ୍ରତ୍ୟାଖ୍ୟାନ କରିବାର ଉପାୟ ଗଢ଼ି ଏ ଭଳି ଚିଠି ଦେଇଚି ।

ପ୍ରକୋଷ୍ଠ ଭିତରେ ବସି ଅନେକ ବେଳ ଚାଲିଗଲାଣି । ଅଥଚ ଜାଣିପାରିନାହିଁ ମୁଁ ଘର ଭିତରେ । ଲୋକହସା କଥା । ତଥାପି ଲୋକହସାକୁ ମୁଁ ଡରେନାହିଁ ।

ମନ ଉଦ୍‌ବିଘ୍ନ ହୋଇ ଉଠୁଥିଲା । ହୃଦୟ ଭାବନାର ଉତ୍ତାଳ ତରଙ୍ଗରେ ବିକ୍ଷୋଭିତ ହୋଇପଡ଼ୁଥିଲା । ଝରକା ବାଟେ ଧୀରେ ବହିଆସିଲା ମଳୟ ସମୀର–ମୋର ତପ୍ତ ଗଣ୍ଡକୁ ସ୍ପର୍ଶକରି ହୃଦୟରେ ଆଣିଦେଲା ସ୍ନିଗ୍ଧ ଶୀତଳତା । ସେଥିରେ ଆସ୍ୱସ୍ତ ହୋଇ ମୁଁ ଧଇଲି ଲେଖନୀ–

ସେଣ୍ଟ୍ରାଲ୍ ଷ୍ଟେସନ୍‌ର ସୁପ୍ରଶସ୍ତ ପ୍ଲାଟ୍‍ଫାରମ୍ ଉପରେ ସ୍ଫୂର୍ତ୍ତିଜନକ ପାଦ ପକାଇ ମୁଁ ମାରୁଥିଲି ଟହଲ । ହାତରେ Film India–

ବଂଶୀ ନିନାଦରେ ଚମକି ଦେଖିଲି କଲିକତା ଡାକ ଗାଡ଼ି ଛୁଟି ଆସୁଚି । ବୋଧହୁଏ ବେସିନ୍ ବ୍ରିଜ୍ ଛାଡ଼ି ମିନିଟେ କି ଦୁଇ ମିନିଟ୍ ହେବ । ଜନତା ଭିତରେ ସତର୍କତା ଆସିଗଲା । ସମସ୍ତେ ସଜବାଜ ହୋଇ ଛିଡ଼ାହେଲେ ।

ଗାଡ଼ି ଆସି ପ୍ଲାଟ୍‍ଫାରମ୍‍ରେ ଛିଡ଼ା ହେଲା–ଦଶଟା ପଞ୍ଚଚାଳଶିରେ । ବନ୍ଧୁବାନ୍ଧବ ଯାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସନ୍ଧାନ କରି ବୁଲିଲେ । ମାନ୍ଦ୍ରାଜ । ସେଥିରେ ପୁଣି ବେଶ ପରିପାଟୀର ଆଡ଼ମ୍ବର ଯୁଗ । ଢିଲା ପାଇଜାମା ଉପରେ ପତଳା ଲାଲ୍‌ଚିଟି ଗଳାଇ ଦେଇଥିଲି । ଜନ ନୟନକୁ ଆକର୍ଷଣ କରିବା ମୋର ସୌଖୀନତାର ବାହାରେ । ସରଳତା ଭିତରେ ସୁନ୍ଦରକୁ ପ୍ରକାଶ କରିବା ମୋର ଅଭିଳାଷ ।

କେହି ଜଣେ ଆସି ଜୋରରେ ପେଲି ଦେଲା । ତଥାପି ମନେ ହେଲା ସେ ଲୋକଟା ବଳହୀନ । କୋଡ଼ିଏ ବର୍ଷର ଯୁବକ ମୁଁ । ପାଞ୍ଚ ଫୁଟ ସାତ ଇଞ୍ଚ ଲମ୍ବା । ଗାଡ଼ି ଉପରେ ହାତ ଭରା ଦେଇ ରକ୍ଷା ପାଇଗଲି । ମୋର ଅସାବଧାନତା ଭିତରେ ଲାଲ୍‌ଚିର ପଖା ପୋକେଟ୍‍କୁ ବ୍ଲେଡ୍‌ରେ କାଟି ପାସ୍‌ଟିକୁ କିଏ ଚମ୍ପଟ କରିଚି । ବଡ଼ ବଡ଼ ସହରରେ ଏଭଳି ପିକ୍‌ପୋକେଟିଂ ହୁଏ, ମୁଁ ଜାଣେ, ତଥାପି–ପୋଲିସ ରିପୋର୍ଟ-ନା-ଗିରିଧର ବାବୁଙ୍କୁ ଖୋଜିବାକୁ ପଡ଼ିବ ।

ଗାଡ଼ିର ଶେଷ ପର୍ଯ୍ୟନ୍ତ ଚାଲି ତଥାପି କାହିଁ ଦେଖି ପାରିଲି ନାହିଁ । ପୁଣି ଆସିଲି ଇଞ୍ଜିନ୍ ଯାଏଁ । ଆସି ନାହାଁନ୍ତି ସେ ! ତେବେ ବୀଣା କ’ଣ ମୋତେ ଉପହାସ କରିବା ପାଇଁ ଚିଠି ଲେଖିଥିଲା ? ଗୋଟାଏ ହତାଶା ଆସିଲା, ଆଉ ତା ସଙ୍ଗେ ବୀଣା ପ୍ରତି ଆସିଲା କ୍ରୋଧ ।

ପରାଜୟକୁ ଗ୍ରହଣ କରି ହୋଷ୍ଟେଲକୁ ଫେରିବାକୁ ପଡ଼ିଲା । ଟେକ୍ସି ଭଡ଼ା ଦେବା ପାଇଁ ପଇସାଟିଏ ନାହିଁ । କୁମାରାପ୍ପାକୁ ଅନୁରୋଧ କରି କହିଲି, କୋଡ଼ିଏଟି ଟଙ୍କା ଦେଇ ଥାଅତ ।

ସେ ଦେଲା । ଟେକ୍‍ସିବାଲା ହାତରେ ଦଶଟି ଟଙ୍କା ପୈଠ କଲି ।

କୁମାରାପ୍ପା ପଚାରିଲା, କୁଆଡ଼େ ଯାଇଥିଲ ?

ସେଣ୍ଟ୍ରାଲକୁ ଯାଇଥିଲି, ସେଇଠି ମୋର ପର୍ସ୍‌ଟି କିଏ ମାରି ନେଇଗଲା । ତମର ଟଙ୍କା କାଲି ଫେରାଇ ଦେବି । ଅସ୍ୱସ୍ତି ବୋଧ କରି କହିଲି ।

ସେ ଚୀଫ୍ ଜଷ୍ଟିସ୍‌ଙ୍କ ପୁଅ । କହିଲା, ହଁ, ସେଥିରେ କ’ଣ ଅଛି ? ଆଚ୍ଛା ତମେ ସେଣ୍ଟ୍ରାଲକୁ କି କାର୍ଯ୍ୟରେ ଯାଇଥିଲ ?

ମୋର ଜଣେ ବନ୍ଧୁ ଆସିବାର ଥିଲା, କିନ୍ତୁ ସେ ଆସି ନାହାନ୍ତି ।

ଠକୁଚ ମତେ, ସେ ମୁରୁକି ହସି କହିଲା ।

ନା

ସେ ଆଉ କିଛି କହିଲା ନାହିଁ । ଖୋଳି ତାଡ଼ି ମନ କଥା ଜାଣିବା ପାଇଁ ମୋ ସହିତ ତାର ଘନିଷ୍ଠତା ସେତେଦୂର ଅଗ୍ରଗତି ହୋଇ ନଥିଲା ।

ସଂଲଗ୍ନ ମୋର ସ୍ୱତନ୍ତ୍ର କକ୍ଷକୁ ଯାଇ ଖଣ୍ଡିଏ ଚିଠି ଲେଖିବା ପାଇଁ ବସିଲି । ସଂବୋଧନ-? ପ୍ରାଣର-ବୋଲି ଡାକିବା ପାଇଁ ଘୃଣା ଜାତ ହେଲା । କିନ୍ତୁ ସେଇ ସମ୍ବୋଧନ ନଦେଇ ପତ୍ର ଲେଖା ଆରମ୍ଭ କରିବାକୁ ମୋର ମନ ଯେପରି ଅନୁମତି ଦେଇପାରିଲା ନାହିଁ । ଛଳନାମୟୀ ବୋଲି ଆରମ୍ଭ କରିବି ?

ପ୍ରାଣର ସ୍ପନ୍ଦନ ବଞ୍ଚି ରହିଥିଲା । ଲେଖି ପାରିଲି ନାହିଁ । ଏଇ ସଂଘର୍ଷ ଭିତରେ ଅନୁଭବ କଲି ବିଷାକ୍ତ ଜ୍ୱାଳା । ଆଉ ଚିଠି ଲେଖି ପାରିଲି ନାହିଁ ।

ଘଣ୍ଟାଏ ବାଜିଲା । ପୂଜାରୀ ଆଣି ଥୋଇଲା ଭୋଜନ ଥାଳା । ସେ ଫେରି ଯାଉ ଯାଉ ଡାକିଲି, ମାଣି ।

ସେ ମୁହଁ ବୁଲାଇ ତାମିଲ୍ ଭାଷାରେ କହିଲା, ଏନ୍ନା

ଟଙ୍କାକିଆ ନୋଟ୍ ତିନୋଟି ଦେଇ, ସିଗାରେଟ୍ କେପ୍‌ଷ୍ଟନ୍ ଟିନ୍ ହାତରେ ଅଭିନୟ ଦେଖାଇ ଆଣିବା ପାଇଁ କହିଲି ।

ସେ ଯାଉ ଯାଉ ଫେରି ତେଲୁଗୁ ଭାଷାରେ ପଚାରିଲା, ଆଗ୍‌ଗିପେଟ୍ଟି ?

ଉନ୍ଦି ଉନ୍ଦି କହି ନିଆ ପେଢ଼ିଟିକୁ ଖଡ଼ ଖଡ଼ କରି ଦେଖାଇଦେଲି ! ସେ ଚାଲିଗଲା ।

ଟେବୁଲ ଉପରେ ଗୋଡ଼ରେ ଗୋଡ଼କୁ ଥୋଇ ଚୌକିରେ ଦୁର୍ବଳ ଦେହକୁ ଆଉଯାଇ ଦେଇଥିଲି । ଦୁଇ ହାତର ଛନ୍ଦିତ ମୁଠା ଉପରେ ଥୋଡ଼ିକୁ ରଖି ସୂର୍ଯ୍ୟର ଭାସ୍ୱରତା ପ୍ରତି ଚାହିଁ ରହିଥିଲି ।

କୁମାରପ୍ପା ମୋର ସ୍କନ୍ଧ ଉପରେ ହାତକୁ ଆତର୍କିତ ଭାବରେ ପକାଇ କହିଲା, What Mr. Brojendro ! you are so contemplative in the truest sense.

ମୋର ନା ବ୍ରଜେନ୍ଦ୍ର ଚନ୍ଦ୍ର, ଆଉ ବାପ ମାଁ’ ଡାକନ୍ତି ଫ୍ରେଡ଼୍‍ ବୋଲି । ହୃଦୟ ଭାବନାକୁ ଲୁଚାଇବା ଉଦ୍ଦେଶ୍ୟରେ ଚମକି ପଡ଼ି କହିଲି ,No, no, nothing of that sort.

ସେ ଓଡ଼ିଆ ଭାଷା ଜାଣେନି କି ମୁଁ କନ୍ନାଡ଼ି ଭାଷା ବୁଝିପାରେ ନାହିଁ । ଆମ ଦୁହିଁଙ୍କ ମଧ୍ୟରେ ଆଳାପ ହେଉଥାଏ କେବଳ ଇଂରାଜୀରେ । ଭଦ୍ରଘର ପିଲା ସେ । ଶାନ୍ତ ଓ ବୁଦ୍ଧିମାନ ବି । ବଡ଼ ବଡ଼ିଆ ମନୋବୃତ୍ତି ତା ଠାରେ ନାହିଁ । ଶ୍ରୀବନ୍ତ ଓ ନମ୍ର ଭାବପୂର୍ଣ୍ଣ । କହିଲା, ଦୁଇଟା ବାଜିଲାଣି, ଆଉ ଲଞ୍ଚ୍ ନେବ କେତେବେଳକୁ ?

ହସି ଦେଇ କହିଲି, ଦେହଟା କିମିତି ଖରାପ ଲାଗୁଚି, ନ ଖାଇଲେ ଟିକିଏ ଉଶ୍ୱାସ ଲାଗିବ ।

ମୋ ସହିତ କୌଣସି ଯୁକ୍ତିତର୍କ କରି ମନ କଥା ବିଡ଼ିବାକୁ ସେ ଚାହେଁନାହିଁ । ଅସଂଲଗ୍ନ ପ୍ରଶ୍ନ ଛଳରେ କୌଶଳମାର୍ଗରେ ଆଳାପକୁ ସେ ଯେପରି ସଂଲଗ୍ନ କରି ଆଣେ, ତାହା ବାସ୍ତବିକ୍‍ ଚାତୁର୍ଯ୍ୟର ପରିଚାୟକ । ଅନ୍ୟ ବିଷୟର ଅବତାରଣା କରି କହିଲା, ଆଚ୍ଛା, ଆଜି ତମ ରେଡ଼ିଓଟା ଗୁମାନ କରିଚ କିଆଁ ?

ଏ ପ୍ରଶ୍ନ କାହିଁକି ? ବୁଝି ହେଲାନି । କହିଲି, ଏ ମଧ୍ୟାହ୍ନ ପ୍ରୋଗ୍ରାମ ଗୁଡ଼ାକ ନିହାତି ବାଜେ, କେବଳ ରେକର୍ଡ଼ ଥାଉ ଥାର୍ଡ଼ ରେଟ୍ ଆର୍ଟିଷ୍ଟଙ୍କ କାନ୍ଦୁଣୀ ଛଡ଼ା କିଛି ନୁହେଁ ।

ନା, ନା, ମୁଁ ସେ ହିସାବରେ କହୁନି; କହୁଚି ସାଢ଼େ ଦୁଇରେ ଆଜି ତମ ଜାତିର କେହି ଜଣେ ନାରୀଙ୍କ ବୀଣା ସମେତ କଣ୍ଠ ସଙ୍ଗୀତ ଅଛି । ସେଇ ପ୍ରୋଗ୍ରାମକୁ କାଳେ ତମେ ଶୁଣିବାକୁ ଶ୍ରଦ୍ଧାନ୍ୱିତ ହେବ ବୋଲି । ତହୁଁ ଟିକିଏ ନୀରବ ହୋଇ କହିଲା, ନିଜ ଜାତିର ସମ୍ମାନ ଶୁଣିଲେ ଆନନ୍ଦ ପାଇବା ସ୍ୱାଭାବିକ ନୁହେ କି ?

ନାରୀ !

ହଁ–

ନା କ’ଣ ?

ସେ ଟିକିଏ ଚିନ୍ତିତ ହୋଇ କହିଲା, ଭୁଲିଗଲି, ଲିଷ୍‌ନାର୍‌ଟାକୁ ଆଣେ । ସେ ଉଠି ବହି ଆଣିବା ପାଇଁ ଗଲା ।

ଡାଇରି ଭିତରୁ ବୀଣାର ଫୋଟଟିକୁ ଦେଖିଲି । ତା’ର ରୂପ ସୌଷ୍ଠବ ବିରହ ତାଡ଼ନାରେ କ୍ଷୂର୍ଣ୍ଣ ହୋଇ ଯାଇଥିବ । ତାର ସେଇ ଅଧର ପ୍ରାନ୍ତର ଇଷତ୍ ହାସ, ଖଞ୍ଜରୀଟ ନେତ୍ରଯୁଗ୍ମର କମ୍ର ଚାହାଣୀ, ପଦ୍ମାନନର ଶାନ୍ତ ଜ୍ୟୋତି, ସବୁ ମଉଳି ଯାଇଥିବ । ହାୟ ଅଭାଗିନୀ !

କୁମାରାପ୍ପା ଟେବୁଲ ଉପରେ ବହିଟାକୁ ଥୋଇ କହିଲା, ବୀଣାବିଳାସିନୀ ଦେବୀ ।

ପୋକେଟ ଭିତରେ ଫୋଟଟିକୁ ଲୁଚାଇଦେଲି । ପୋଥି ପଢ଼ି ଦେଖିଲି ସାଢ଼େ ଦୁଇ ଠାରୁ ତିନିଟା ଯାଏ ବୀଣାର ସଂଗୀତ କାର୍ଯ୍ୟକ୍ରମ । କହିଲି, କିନ୍ତୁ ସେତ ଆସି ନାହାନ୍ତି । ବୀଣାକୁ ମାନ୍ୟ ଦେଇ କୁମାରାପ୍ପାଠାରେ କହିବାକୁ ପଡ଼ିଲା ।

ତମେ ଜାଣିଲ କିପରି ?

ଗତକାଲି ତାଙ୍କର ବାପାଙ୍କଠୁ ତାର ପାଇଥିଲି । କିନ୍ତୁ ଆଜି ଷ୍ଟେସନରେ ସେମାନଙ୍କୁ ଖୋଜି ପାଇଲି ନାହିଁ । ବୋଧହୁଏ କେନ୍‌ସେଲ୍ କରିଥିବେ ।

ଆଚ୍ଛା ରେଡ଼ିଓଟା ଟ୍ୟୁନ୍‍ କର, ସେ ଆସିଚନ୍ତି କି ନାହିଁ ଜଣା ପଡ଼ିଯିବ–କହିଲା କୁମାରାପ୍ପା ।

ସୁନ୍ଦର ଉପାୟ ଦେଖାଇଦେଲା ମୋତେ । ତଥାପି ଅସହ୍ୟ ମନେ ହେଲା । ନିଜେ ଖୋଜି ଖୋଜି ହତାଶରେ ଫେରି ଆସିଚି । ଆପଣା ଚକ୍ଷୁକୁ ଅବିଶ୍ୱାସ କିପରି କରିବି ?

କୁମାରାପ୍ପା ରେଡ଼ିଓ ଟ୍ୟୁନ୍ କରି ଦେଲା । ଠିକ୍ ସେତେବେଳେ ଚଳଚ୍ଚିତ୍ରର ବିଖ୍ୟାତ ଅଭିନେତା ତ୍ୟାଗରାଜ ଭାଗାବତାରଙ୍କ ତାମିଲ୍ ରେକର୍ଡ ପ୍ରଚାରିତ ହେଉଥିଲା । ଭାଷାଟା କଡ଼ ମଡ଼ ହେଲେ ବି ସାଂପ୍ରଦାୟିକତ୍ୱର ଯେଉଁ ଗୌରବ ତାମିଲ ସଙ୍ଗୀତରେ ଅଛି ତାହା ଅନ୍ୟ କୌଣସି ଭାଷାରେ ନାହିଁ । ମୁଁ ବେଶ୍ ଉପଲବ୍‌ଧ କଲି ସେଇ ଗାନ-ନୈପୁର୍ଣ୍ଣ୍ୟକୁ !

ଏତେବେଳ ଯାଏ ଆପଣମାନେ ତ୍ୟାଗରାଜ ଭାଗାବତାରଙ୍କ ରେକର୍ଡ଼ ସଙ୍ଗୀତ ଶୁଣିଲେ–ପ୍ରଚାରିତ ହେଲା ବେତାର କେନ୍ଦ୍ରରୁ ।

ଘଡ଼ି ଦେଖିଲି ସାଢ଼େ ଦୁଇ ।

ମିନଟ୍‌ ପରେ ଶୁଭିଲା, ବୀଣାବିଳାସିନୀ ଦେବୀ- ବୀଣା ସହିତ କଣ୍ଠ ସଙ୍ଗୀତ । ସଙ୍ଗୀତା ଶାସ୍ତ୍ରା ଜ୍ଞାନାମୃ, ରାଗାମ୍ ମୁଖାରି, ଆଦିତାଳଂ, ତ୍ୟାଗରାଜଙ୍କ ସାହିତ୍ୟ ।

କୁମାରପ୍ପା ପାଟିକଲା, ଏଇତ ସେ ଆସିଛନ୍ତି !

ତାନାପୁରା ସୃତି ଧୀରେ ବାଜି ଉଠିଲା । ତଥାପି ବିଶ୍ୱାସ କରିପାରିଲି ନାହିଁ । ବୀଣା କଣ୍ଠ ଫିଟାଇ ଅଳ୍ପ ସମୟ ଯାଏ ସୃତି ସହିତ ମେଳ କଲା । ତହୁଁ ଗାଇଲା ।

ଅନ୍ତରର ଉଦ୍‌ବେଗକୁ ଚାପି ଧରି କହିଲି, ହଁ ସେ ଆସିଚନ୍ତି–

ଏଇଲାଗେ ବେତାର କେନ୍ଦ୍ରକୁ ଗଲେ ତମେ ସହଜରେ ଦେଖିପାରିବ–

ଆଚ୍ଛା, ଯାଏଁ କହି ଚୌକିରୁ ଉଠିଲି ।

କଉଁଠି ଜାଣିଚତ ?

ଟେକ୍ସି ନେଇଯିବ ଯେ ।

ଏଗ୍‌ମୋରରେ–

ଓ, ସେଇ ହଳଦିଆ କୋଠାଟା । ଆଗରେ ଗୋଟାଏ ଫୁଟବଲ୍ ଖେଳ ପଡ଼ିଆ–

ହଁ, ହଁ, ସେଇ କୋଠାଟା ହସି ହସି କହିଲା କୁମାରପ୍ପା ।

ଟେକ୍ସି ଯାଇ ପୋର୍ଟିକରେ ଠିଆ ହେଲା । ସୁପ୍ରଭାଇଜର ନିକଟକୁ ଆସିଲେ । କହିଲି, ବୋଧହୁଏ ବର୍ତ୍ତମାନ ବୀଣାବିଳାସିନୀ ଦେବୀଙ୍କ ପ୍ରୋଗ୍ରାମ ପ୍ରଚାରିତ ହେଉଚି–

ହଁ–

ତାଙ୍କ ସହିତ ଟିକିଏ ସାକ୍ଷାତ ହୋଇପାରିବ ?

ଅପେକ୍ଷା ମନ୍ଦିରରେ ବସିବା ପାଇଁ କହିଲେ । ସେତେବେଳେ ବୀଣାଗାଉଥାଏ ଈଶମନୋହରି ରାଗର ମାନାସା ଶ୍ରୀ ରାମାଚନ୍ଦ୍ରୁନି କୃତିଟି । ଗାନ ଭଙ୍ଗୀର ଛନ୍ଦେ ଛନ୍ଦେ ଯେଉଁ ରସ-ଲହରୀ ଖେଳି ଉଠୁଥିଲା, ମନେ ହେଲା ତାହା ଚିତ୍ତ-ବୃତ୍ତି ଜାତ, ଯତ୍ନ-ଜନିତ ନୁହେ ।

ଅନଭୁବ ବିନା ଜଗତର କୌଣସି ବିଭାବ ପ୍ରଦର୍ଶନୀରେ ଦକ୍ଷତା ଫୁଟାଇବା ଅସାଧ୍ୟ । କାଗଜ ଫୁଲ ଓ ବନ ଫୁଲ ଦୁଇଟି ପଦାର୍ଥ ଭିତରେ କେଉଁଟି ନୈସର୍ଗିକ, କେଉଁଟି ବ୍ୟାଜ ଆମେ ସହଜରେ ଜାଣିପାରୁ । ପ୍ରତିଭା ନଥାଇ ସାଧନା କୃତିତ୍ୱ ସଂପନ୍ନ ହେଲେ ମଧ୍ୟ ଗୌରବାନ୍ୱିତ ହେବନାହିଁ । ପନ୍ଦର ବର୍ଷର କିଶୋରୀ ବୀଣା ସେତେବେଳେ ଯେଉଁ ସଂଗୀତ-ଶ୍ରୀ ପରଶୁଥିଲା ବାସ୍ତବିକ୍ ତାହା ଅତୁଳନୀୟ । ତା ସହିତ ନିବିଡ଼ ସଂପର୍କ ଥାଇ ସୁଦ୍ଧା ଭଲଭାବରେ ତାଠାରୁ ଗୀତ ଶୁଣିବାର ଅବକାଶ ପାଇନଥିଲି । ସଂଗୀତ-ସନ୍ଦର୍ଭରେ ବୀଣା ଏତେ ଦୂର ପ୍ରଗତିଶାଳିନୀ ହୋଇଚି, ତାହା ଦେଖି ମୁଁ ଅବାକ ହେଲି, ଅପୂର୍ବ ଗୌରବ ଅନୁଭବ କଲି ।

ବେତାର ନିର୍ବନ୍ଧ ଶେଷହେଲା । ଗିରିଧର ବାବୁ ଷ୍ଟୁଡ଼ିଓ ଭିତରୁ ବାହାରିଲେ । ଉଠି ନମସ୍କାର କଲାବେଳକୁ ବୀଣା ମତେ ପ୍ରଣାମ କରିସାରିଲାଣି । ଗିରିଧର ବାବୁ ମୋର ଭୁଜ ଉପରେ ହାତ ଥାପି କହିଲେ, କି ହୋ କେତେବେଳେ ? ମୋର ତାର ପାଇନ ?

ଷ୍ଟେସନରେ ଖୋଜି ଖୋଜି ଦେଖିପାରିଲି ନାହିଁତ–

କୁଆଡ଼େ ବାଟବଣା ହୋଇ ଯାଇଥିବ–ମୋ ସହିତ ତାଙ୍କର ଏ ଅପ୍ରତ୍ୟାଶିତ ହାସ୍ୟ ମୁଁ ଜାଣେ । ବୀଣାକୁ କହିଲି, ବେଶ୍ ଗାଉଛୁ ବୀଣା । ତୋର ଏଭଳି ଗାନ ମୁଁ କେବେ ଶୁଣିନଥିଲି–

ସହାସ୍ୟ ମୁଖରେ ସେ କିଛି କହିଲା ନାହିଁ ।

ଅଣିକିଆ ରେଭେନ୍ୟୁ ଷ୍ଟାମ୍ପ୍‍ ଉପରେ ଦସ୍ତଖତ କରି ସେ ପାଇଲା ଖଣ୍ଡିଏ ଅଶି ଟଙ୍କିଆ ଚେକ୍ । ମୁଁ ଟେକ୍ସିକୁ ବିଦା କରି ତାଙ୍କ ଟେକ୍ସିରେ ବସିଲି । ଗାଡ଼ି ଚାଲିଲା ।

ପଚାରିଲି, ଫେର୍‍ ତାର ପ୍ରୋଗ୍ରାମ ଅଛି ? ୨୮-୧୦-୪୨ ରେ ଅଛି ବୋଧ ହୁଏ ।

ଗିରିଧର ବାବୁ କହିଲେ ଆଚ୍ଛା ଫ୍ରେଡ଼୍‍, କେତେ ବନ୍ଧୁଙ୍କ ସହିତ ମୋର ଦେଖା କରିବାର ଅଛି । ବୀଣା କହୁଥିଲା ମିଉଜିୟମ୍, ଯୂ ଆଦି ଦେଖିବ ବୋଲି । ତମେ ଟିକିଏ ବୁଲାଇ ଆଣିବ ?

ମିଉଜିୟମ୍ ବନ୍ଦ ହୋଇଯାଇଥିବ । ଯୂ ଟା ଦେଖିଆସିଲେ ହେବ ।

ହଁ, ଯାହା ହେଉ, ଦେଖିବା ପାଇଁ ବୀଣା ଅଡ଼ିବି ଲଗାଇଚି । ଏଇଲାକେ କେତୋଟା ଜାଗା ଦେଖାଇ ଆଣ । କାଲି ସକାଳୁ ବାକିତକ ବୁଲି ଆସିବ ।

ଗାଡ଼ି ଟେକ୍ସି ଷ୍ଟେଣ୍ଡଠାରେ ଠିଆ ହେଲା । ଗିରିଧର ବାବୁ ଅନ୍ୟ ଏକ ଟେକ୍ସି ଧଇଲେ । ଆମର ମୋଟର ଚାଲିଲା ଯୂ ଦିଗେ ।

ମିନିଟେ ଦୁଇ ମିନିଟ ଚାଲିଗଲା । ବୀଣାର ଏ ନୀରବତା କାହିଁକି ?

କାହାରି ପାଖରେ ତାର ଏ ଅକୁହା ଅଭିମାନ ବୁଝିପାରିଲି । କହିଲି, ବୀଣା ଭଲ ଅଛ ?

ଦେଖାର ଅଧଘଣ୍ଟା ପରେ କୁଶଳତା ପଚରାଯାଉଚି । ହସ ସମ୍ଭାଳି ବୀଣା କହିଲା, ଯିମିତି ଦେଖୁଛ–

ସୁସ୍ଥତା ଉପରେ ସିନା ତମର ଆଶ୍ୱାସନା,–କଣ୍ଠରେ ଥିଲା ବ୍ୟଥା ।

ଗୁମାନ ଦେଖାଇ ପ୍ରଣୟ ନେବା ପାଇଁ ସେ ଚାହେଁ । କହିଲି, ହଁ, ବୀଣା, ତମର ଅଶ୍ରୁ ପାଇଁ ମୁଁ ଦାୟୀ, କିନ୍ତୁ ପୋଛି ପାରିବି କିପରି ?

ଅହେତୁକ ଭାବରେ ମୋ ଜାନୁ ଉପରେ ହାତ ପକାଇ ବୀଣା କହିଲା, କି ଚିଠି ଖଣ୍ଡେ ଦେଲେନି ?

ଯଦି ତମର ବାପ ହାତରେ ସେଇଟି ପଡ଼େ ?

ହଁ–ପଦଟି କେବଳ ତାର କଣ୍ଠରୁ ବାହାରି ପଡ଼ିଲା ।

ଗାଡ଼ି ଯୂ ପାଖରେ ପହଞ୍ଚିଲା ।

ଆଠ ବର୍ଷ ପରେ ମାନ୍ଦ୍ରାଜକୁ ବୀଣାର ଏ ଆଗମନ । ଲଳିତା ଦେବୀଙ୍କ ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ ଗିରିଧର ବାବୁ ଯେଉଁ ଛ’ ଆଠ ମାସ ଥିଲେ, ସେଇ ସାତ ବର୍ଷର ପିଲା ସମୟରେ ବୀଣା ମାନ୍ଦ୍ରାଜ ଦେଖିଥିଲା । ଆଜି ସେ ଏଇ ଉଚ୍ଚ ନାଗରିକତା ଭିତରେ ଚାଲିବା ପାଇଁ ଯେପରି ସଂକୋଚ ଅନୁଭବ କରୁଚି ।

ଦୁହେଁ ଗାଡ଼ିରୁ ଓହ୍ଲାଇ ଚାଲିଲୁ । ବୀଣା ରୋଲିକର୍ଡ କ୍ୟାମେରା ଧରି ସ୍ନେପ୍‌ କାଢ଼ି ବସିଲା । କେଉଁଠି ନୀଳ ମୟୂର ଆନନ୍ଦରେ କଳାପ ବିସ୍ତାର କରି କେକା ରାବରେ ଉପବନ ଉଚ୍ଛୁଳାଇ ଦେଉଚି; କେଉଁଠି ହଂସଦଳର କଳ କଳ ନିନାଦରେ ପଙ୍କଜ ବିକସିତ ବିଶାଳ ପୁଷ୍କରିଣୀ ମୁଖରି ଉଠୁଚି; କେଉଁଠି ମତ୍ତ କରୀ ତାର କୋମଳ କରକୁ ପ୍ରେୟସୀର କପାଳ ଉପରେ ଘଷି ସମୀର ଦୋଳାୟିତ ନୀଳୋତ୍ପଳ ସମ ଝୁଲାଇ ଆଣୁଚି ।

ବୀଣା ଦୁଇଟି ଚୁମ୍ବନାଶକ୍ତ ଶୁକ ପକ୍ଷୀର ଫୋଟ ବାହାର କରି ମୋ ଆଡ଼େ ଚାହିଁଲା । ମୁଁ ହସିଦେଲି । ତହୁଁ ସେ ମୋ ହାତକୁ ଟାଣି ଧରି କହିଲା, ଆସ–

ଦୁହେଁ ଅନ୍ୟ ଏକ ଦୃଶ୍ୟ ଦେଖିବା ପାଇଁ ଚାଲିଲୁ । କ୍ଷଣକାଳ ପରେ କହିଲା, ଆମ ଦୁହିଙ୍କୁ ଦେଖି ଲୋକେ କ’ଣ ଭାବୁଥିବେ ?

ଜନ-ନୟନର ତୀବ୍ରତାକୁ ଏଡ଼ି ଆମେ ଚାଲିଚୁ ତରୁଣ-ତରୁଣୀ–ଏ ଯେପରି ଆମ ଜୀବନର ସର୍ବ ପ୍ରଥମ ଯାତ୍ରା । ବୀଣାର କରପୁଟ ମୋ ହାତରେ ଛନ୍ଦିତ ଥିଲା । ଏତେଦିନର ଗୁପ୍ତ ପ୍ରଣୟ ଆଜି ଯେପରି ମୁକ୍ତ ଆକାଶର ବିହଗ ସମ ଅନିଳ ତଳେ ପହଁରି ଯାଉଚି; ଆଉ ସେଥିରେ ଅନ୍ତର ପୁଲକି ଉଠୁଚି । କହିଲି, ଭାବୁଥିବେ ତୁ ମୋର-

ଅପମାନ ହେବ କହିଲେ ?

ଭାବୁଥିବେ ସ୍ତ୍ରୀ ବୋଲି–ଏତିକି କହି ତା ହାତରୁ କେମେରାଟି ଛଡ଼ାଇ ଆଣିଲି ।

ସେ ଛୁଆଙ୍କ ପରି କହିଲା, ଉଁ–ନେଇଗଲ

ମୁଁ କେତୋଟି ସ୍ନେପ୍ ନେବି ।

ବୀଥି ଉପରେ କେତେ ଯୁବକ-ଯୁବତୀ, ପୌଢ଼-ପୌଢ଼ା, ବାଳକ-ବାଳିକା ଚାଲିଥିଲେ । ଲତିକା ନିକୁଞ୍ଜ ଯୂର ଶୋଭା ବେଶ ବଢ଼ାଉଥିଲା । ବୀଣା ଟିକିଏ ଆଗେଇ ଯାଉ ଯାଉ ଟାଣି ଧରି କହିଲି, ଏଇ ଦେଖ, ଚାମେଲି ଫୁଲକୁ ପରା ତୁ ଭଲ ପାଉ

ସେ ଫେରି ଚାହିଁ କହିଲା, ଏଇଟା ଚାମେଲୀ–

ଦେଖୁନା । ସଂଲଗ୍ନ ଫୁଲ ଦୁଇଟି ତୋଳି ବୀଣା ହାତକୁ ବଢ଼ାଇ ଦେଲି । ସେ ଥରେ ନିବିଡ଼ ଅଘ୍ରାଣ କରି, କବରୀ ଭିତରେ ଖଞ୍ଜି ଦେଲା ଅତି ଧୀରେ ।

ରାତି ଆସୁଥିଲା । ଯୂ ଭିତରେ ଲୋକ ଗହଳ କମି ଆସୁଥିଲା । କହିଲି, ଯିବା ଚାଲ–

ଦୁହେଁ ଟେକ୍ସିକୁ ଫେରିଲୁ । ଗାଡ଼ି ଚାଲିଲା । ପଚାରିଲି, ଏଇଠି କେତେଦିନ ରହୁଚ ?

ବାବା କହୁଥିଲେ କାଲିକି ଚାଲି ଯିବେ ବୋଲି; ମେରିନା ଆଡ଼େ ଥରେ ବୁଲି ଆସିବା ?

ନା, ବୀଣା, ବାବା ଅପେକ୍ଷା କରିଥିବେ ।

ବୀଣା କିଛି ପ୍ରତ୍ୟୁତ୍ତର ଦେଲା ନାହିଁ । ଗାଡ଼ି ବାସୋଟୋ ହୋଟେଲ୍ ଦିଗେ ଚାଲିଲା ।

କୌଣସି ମତେ ବି.ଏ. ପରୀକ୍ଷାଟା ଶେଷ ହୋଇ ଯାଇଚି । କୁମାରାପ୍ପାର ନୋଟ୍‍ସ୍‍ଗୁଡ଼ିକ ସାହାଯ୍ୟ କରିଚି । ସେ ବହି ପୋଥି–ସମୁଦ୍ରକୁ ଘାଣ୍ଟି ଅମୃତ ବାହାର କଲା, ଆଉ ମୁଁ ସେଇ ଅମୃତ ଚାଖି ପରୀକ୍ଷା ସଂକଟ ପାର ହୋଇଗଲି । ସେଥି ପାଇଁ କୁମାରାପ୍ପାକୁ ଧନ୍ୟବାଦ ନଦେଇ ରହିପାରିଲି ନାହିଁ ।

ପରୀକ୍ଷା ସରୁ ସରୁ ବିଶାଖପାଟଣାରେ ପହଞ୍ଚିବା ପାଇଁ ବାବାଙ୍କଠୁଁ ଚିଠି ପାଇଲି । ଲେଖିଥିଲେ, ପରୀକ୍ଷା ଶେଷ କରି ଶିଘ୍ର ଆସିବୁ । କେତେକ ବିଷୟ କଥା ହେବାର ଅଛି ।

ଏ ଡାକରା କାହିଁକି ? ଯେଉଁ ପୁଅକୁ ସେ ଦୂର ଦେଶକୁ ତଡ଼ିଦେବା ପାଇଁ କୁଣ୍ଠିତ ମନେ କରି ନ ଥିଲେ ଆଜି ତା ପ୍ରତି ଏ ଆଗ୍ରହ କାହିଁକି ?

କୁମାରାପ୍ପାଠାରୁ ବିଦାୟ ନେଇ ବିଶାଖପାଟଣାରେ ପହଁଞ୍ଚିଲି । ତା ସହିତ ମୋର ଚିଠିପତ୍ର ବରାବର ଚାଲିଲା । ଆମର ପରସ୍ପର ସ୍ନେହ ମମତା ସେଥିରେ ବେଶ୍ ଭାବରେ ଆଦାନ ପ୍ରଦାନ ହେଉଥିଲା । ମତେ ସେ ଟାପରା କରି କେତେ କଥା ଲେଖେ, ବୀଣା ସହିତ ତାର ପରିଚୟ ନଥିଲେ ବି ଛଳନାରେ ମତେ ଫତୁଆ କରିବାକୁ ଆମର ଯୁଗ୍ମ ଶୁଭ ସମାଚାର ପଚାରେ । ବୀଣାର କଣ୍ଠ ସହ ମୋର ବେହୁଲାର ସଂଯୋଗ, ବୀଣାର ତାଳ ଭିତରେ ମୋର ଲୟର ସନ୍ନିବେଶ କିପରି ଚାଲିଚି–ଇମିତି ସେ କେତେ କଥା ଲେଖେ । ମୁଁ ଜବାବ ଦିଏ–ଲୟ ଭିତରେ ଅପଲୟ, ଶ୍ରୁତି ଭିତରେ ଅପସୃତି । କଳ୍ପନା ଭିତରେ କଠୋରତା ନ ଆସିଲେ ସୌନ୍ଦର୍ଯ୍ୟର ଗୌରବ ବଢ଼ିବ କିପରି-?

ସେଞ୍ଚୁରି କ୍ଲବ ଉପରେ ସଂଧ୍ୟା ନଇଁ ଆସିଥିଲା । ସେ ଦିନ ମୋର ଜନ୍ମ ଦିବସ । ନିରାଡ଼ମ୍ବର ଭାବରେ ଉତ୍ସବ ଚଳାଇଦେବା ପାଇଁ ପଡ଼ିଲା । ଏଇ କେତେଦିନ ହେଲା ବାବାଙ୍କର ସ୍ୱାସ୍ଥ୍ୟ ଭଙ୍ଗ ହୋଇଚି । ତେଣୁ ଏଇ ଉତ୍ସବରେ ଯୋଗଦାନ କରିବା ପାଇଁ ସମସ୍ତ ବନ୍ଧୁବାନ୍ଧବଙ୍କୁ ଡକାଯାଇନଥିଲା । କେବଳ ଆତ୍ମିୟ ହୋଇ ଆସିଥିଲେ ଗିରିଧର ବାବୁ–ସକୁଟୂମ୍ବେ ।

ଏଇ ରକମ ଭୋଜି ଆମଘରେ ପ୍ରାୟ ପ୍ରତିଦିନ ଚାଲିଥାଏ । ତେଣୁ ସେଦିନ ମନରେ କୌଣସି ବିଶିଷ୍ଟ ଆନନ୍ଦ ଉପଲବ୍ଧି କରିନପାରିବା ସ୍ୱାଭାବିକ୍ । କିନ୍ତୁ ବୀଣାର ଆଗମନ ହିଁ ସେଥିରେ ଯାହା ବୈଶିଷ୍ଟ୍ୟ ସୃଷ୍ଟି କରିଥିଲା ।

ସଦ୍ୟ ପ୍ରକାଶିତ ବହି ଖଣ୍ଡିଏ ଲଳିତାଦେବୀଙ୍କୁ ଉପହାର ଦେବାପାଇଁ ଆଣିବାକୁ ଉପର ମହଲାକୁ ଗଲାବେଳେ ବୀଣା ମୋର ପଛେ ପଛେ ଚାଲିଲା । ନିଶବ୍ଦ ଚରଣ ପାତରେ ବୀଣା ପଛରୁ ଆସି ମୋ ପଖା-ପୋକେଟ୍ ଭିତରେ କ’ଣ ଗୋଟାଏ ଚିଜ ପକାଇ ଦେଲା । ଚମକି ପଡ଼ି ଦେଖିଲି ସେ ତଳକୁ ଚାଲି ଯାଉଚି ଭବ୍ୟ ଚୋର ପରି । ତା ପଣତ କାନିକୁ ଧରିଲି । ସେ ଖିଲି ଖିଲି ହସି କହିଲା, ଛାଡ଼ ନଇଲେ ତୁଣ୍ଡ କରିବି ।

କର୍, ଏତିକି କହି ଜୋରରେ ଟାଣି ଆଣିଲି । ସେ କିଛି ନ କହି ସାଧୁ ପିଲାଟି ପରି ଆସିଲା । କହିଲି, ତୁଣ୍ଡ କଲୁନି କିଆ ?

କଲିନି, ତମେ ଅପ୍ରସ୍ତୁତ ହେବ ବୋଲି ।

ଓ–କେଡ଼େ ଭଦ୍ର ପାଲଟି ଗଲୁଣି କହି ପୋକେଟରୁ ଜିନିଷଟାକୁ ବାହାର କଲି । ପେଢ଼ି ଭିତରେ ନୀଳ ପଥର ବସା ଛୋଟ ମୁଦ୍ରିକାଟି । ନୀଳ ରଙ୍ଗରେ ମୋର ଆଦର ଥିବା କଥା ବୀଣା ଜାଣେ । ତେଣୁ ମୋର ଜନ୍ମ ଦିବସ ଉପଲକ୍ଷେ ଏ ପ୍ରଣୟ ଉପହାର ଦେଇଚି । କହିଲି, ଏଇଟା କ’ଣ ?

ମୁଁ ଜାଣେନି ତ !

ଧେତ୍ ସତ କହ । କହିବୁ ନା ଫୋପାଡ଼ି ଦେବି ।

ଦିଅ ।

ଫିଙ୍ଗି ଦେବାର ଅଭିନୟ କଲା ବେଳକୁ ସେ ମୋର ହାତ ଧରି କହିଲା, ନା,ନା, ସେଇଟା ମୋର, ତମେ ନେବାକୁ ହେବ ।

ମୋ ପୋକେଟ୍ ଭିତରକୁ ଉଡ଼ି ଆସିଲା କିପରି ?

ମୁଦ୍ରିକାଟି ଛଡ଼ାଇ ନେଇ ମୋର ଅନାମିକାଙ୍ଗୁଳିରେ ଲଗାଇ ଦେଲା । କହିଲା ଏଇଟା ମୋର ପୁରସ୍କାର ।

ଓ–ବୁଝିଚି, ସେଇ ଲଗ୍ନ କଥା ଭାବି ଦେଇଚ, ନୁହେ ?

କ’ଣ ?

ମାନେ ସିନ୍ଦୂର ଟୋପା ଆଙ୍କିଲା ବେଳକୁ ଏଇଟା ମୋର ଆଙ୍ଗୁଠିରେ ଥିବାକୁ ହେବ, ନୁହେଁ ?

ତଥାପି ପଚାରିଲା, କେଉଁଠି ?

କୋମଳ ଗଣ୍ଡ ଉପରେ ମୃଦୁ କରାଘାତ କରି କହିଲି, ତୋ କପାଳରେ ।

ତଳରୁ ଲଳିତା ଦେବୀ ଡାକିଲେ, ବୀଣା–

ବୀଣା ମୋ ଆଡ଼େ ଥରେ ଚାହିଁ ‘ଆସିବି’ ବୋଲି କହି ଚାଲିଗଲା ।

ପରାଗ ଭିତରେ ମକରନ୍ଦ କିପରି ସାନ୍ଧ୍ର ହୋଇ ଆସୁଚି, ପ୍ରଣୟ-ଉପବନରେ ଜୀବନ-କୁସୁମ କିପରି ଫୁଟି ଆସୁଚି, ହୃଦୟ-ଗହ୍ୱରରେ ସ୍ନେହ-ଝରଣା କିପରି ଝରି ପଡ଼ୁଚି, ତାହା ମୁଁ ଉପଭୋଗ କଲି । ବୀଣାର ଏଇ କ୍ଷୁଦ୍ର ସାଂସାରିକ ଚଳନରେ । ସ୍ନେହରେ ସେ ମତେ କହିଗଲା, ଆସିବି–ଯେପରି ମୋ ସହିତ ଘର-ସଂସାର କରି ତାର ଜୀବନର କେତେ କାଳ ଅତିବାହିତ ହୋଇ ଯାଇଚି ।

ପୁରସ୍କୃତ ମୁଦ୍ରିକାଟିରେ ଦେଖିଲି ବୀଣାର କମନୀୟ ଜୀବନ-ଧାରା ।

ଶୁଭିଲା ମଧୁର ସଙ୍ଗୀତ । ବୀଣା ତାର ମୁରଲିଜିତ କଣ୍ଠ ଫିଟାଇ ବଲ୍ଳବୀର ଝଙ୍କାରକୁ ଅପମାନିତ କରୁଚି । ବିପଞ୍ଚି ବାଜୁଚି । ତଥାପି ମନେ ହେଲା ତାହା ଯେପରି ବୀଣା କଣ୍ଠର ପ୍ରତିଧ୍ୱନି-

ସୁମ ଆସି କହିଲା, ଆସ ବାବା ଡାକୁଚନ୍ତି–

କଳ୍ପନା ଉପରେ ବୀଣାର ସଙ୍ଗୀତ ପରଶ ଯେଉଁ ସମ୍ମୋହନ ଆଣି ଦେଇଥିଲା, ହଠାତ୍ ଭାଜିଗଲା । କହିଲି, କଅଣ ?

ଆସ–ବାବା ଡାକୁଚନ୍ତି ହାତ ଟାଣି ଧରି କହିଲା ସୁମ ।

ବାବା ଓ ଗିରିଧର ବାବୁ ବସି ଗପ ବାଢ଼ିଥିଲେ । ମତେ ଦେଖି ଗିରିଧର ବାବୁ କହିଲେ, କିହୋ, ଆଜି ପରା ତମର ଜନ୍ମ ଦିବସ, ଭୋଜିଭାତ କାହିଁ ?

ମୋ ସହିତ ଗିରିଧର ବାବୁଙ୍କ ଏ ହାସ୍ୟ ନୁଆ ନୁହେ । ବୟସରେ ବଡ଼ ଥାଇ ସୁଦ୍ଧା କୌତୁକ କରିବା ପାଇଁ ସେ କୁଣ୍ଠିତ ମନେ କରନ୍ତି ନାହିଁ । ସେ ବଡ଼ ହାସ୍ୟପ୍ରିୟ ।

ତୁନି ରହିଲି ।

ସେ ମୋ ହାତକୁ ଗୋଟିଏ ଲମ୍ବା କଭର ବଢ଼ାଇ ଦେଇ କହିଲେ, ଏଇଟା କ’ଣ ଜାଣିଲକି ?

ନା

ଏଇଟା ନେଇ ତମ ମମୀଙ୍କୁ ଦିଅ; ଆଉ ୟା ସହିତ ତମର ବାହା କରିବା ପାଇଁ କହ, ବୁଝିଲ–ବାବାଙ୍କ ଆଡ଼େ ଚାହିଁ ଚାହିଁ କହିଲେ ଗିରିଧର ବାବୁ ।

ମଣିଷକୁ ଅପ୍ରସ୍ତୁତ କରିବା ପାଇଁ ବଡ଼ ଧୂରନ୍ଧର ଲୋକ ପରି ଜଣାଗଲା । ମାନ୍ୟଗଣ୍ୟ ହୋଇ ବାବାଙ୍କ ପାଖରେ ମତେ ଏ କଥା କହିବାକୁ ଟିକିଏ ସଂକୋଚ କରୁ ନାହାନ୍ତି କିମିତି । ବଡ଼ ଲୋକଙ୍କର ଏ ରୀତି ପରା ।

ଅନ୍ତରରେ ବାଧା ନ ପାଇଲେ ମଧ୍ୟ ବାହାରକୁ ଦେଖାଇ କହିଲି, ସୁମ ହାତରେ ପଠାଇ ଦିଅନ୍ତୁ–

ନା, ନା, ନିଅହୋ, ଲାଜ କରୁଛ, କିଆଁ–

ବାବାଙ୍କର ନୀରବତା ସେଥିରେ ସମ୍ମତ ପରି ମନେ ହେଲା । କିଛି ନ କହି ସୁମ ହାତକୁ ବଢ଼ାଇ ଫେରିଲି । ସୁମ ମୋ ପଛେ ପଛେ ଫୋଟଟି ଦେଖି ଦେଖି ଆସୁଥାଏ ।

ଚିତ୍ର ଆଉ କାହାରି ହୋଇଥିବ ? ବୀଣାର ହୋଇ ନ ଥିବ ? ଦେଖିବା ପାଇଁ ପ୍ରବଳ ଆଗ୍ରହ ଜନ୍ମିଲା । ସୁମ ଧାଇଁ ଆସି ଏଇଟା ବୀଣା ଅପାର ଫୋଟ, ଏଇ ଦେଖ–କହି ବଢ଼ାଇ ଦେଲା ।

ଆଶ୍ୱସ୍ତ ହେଲି । ଦୀର୍ଘ ବୀପ୍‍ସାର ସଫଳତା କଳ୍ପନାରେ ପ୍ରାଣ ଛନ୍ଦୋମୟ ଅଭିସାର ରଚି ସ୍ରଷ୍ଟାର ଚରଣ ତଳେ ପ୍ରଣତି ହୋଇଆସିଲା ।

ସୁମକୁ ଫେରାଇ ଦେଲି । ସେ ଅଥୟ ହୋଇ ଧାଇଁ ଗଲା-ମାମୀକୁ ଏ ଶୁଭବାର୍ତ୍ତାଟା ଜଣାଇଦେବା ପାଇଁ ବୋଧହୁଏ ।

ବୀଣା ବିପଞ୍ଚି ବଜାଇ ଗାଉଥିଲା ଗୀତ । ପାଖରେ ମାମୀ, ଲଳିତା ଦେବୀ, ଅରୁ ଆଉ କେତେଜଣ ଭଦ୍ର ମହିଳା । ସଂଗୀତରତା ବୀଣା ଆଗରେ ଫୋଟଟିକୁ ଦେଖାଇ ସୁମ କହିଲା, ଏଇ ଦେଖିଲ, ୟା କୁ ନାନା ବାହା ହେଉଚନ୍ତି–

ଦଶ ଏଗାର ବର୍ଷର କୁମାରୀ ସୁମ । ଆନନ୍ଦର ଉତ୍ସାହରେ କହି ପକାଇଲା–କିନ୍ତୁ ବୀଣା ଏ ଜନଗୋଷ୍ଠି ଭିତରେ ତାହା କିପରି ଗ୍ରହଣ କରିବ ଭାବିନଥିଲା । ତହୁଁ ମାମୀର ହାତକୁ ଚିତ୍ରଟି ବଢ଼ାଇ ଦେଇ କହିଲା, ଏଇଟା ନନା ହାତରେ ମଉସା ଦେଲେ, ନନା ମୋ ହାତରେ ତୋ ପାଖକୁ ପଠାଇ ଦେଇଛନ୍ତି–

ବୀଣା ଏ ନାରୀ ସମାଜ ଭିତରେ ବଡ଼ ଅସ୍ଵସ୍ତି ବୋଧକଲା । ତାର ବ୍ରୀଡ଼ାସ୍ନାତ କଣ୍ଠରୁ ସଙ୍ଗୀତ ଫୁଟି ପାରୁନାହିଁ, ସେ ଭଲ ଭାବରେ ଗାଇ ପାରୁନାହିଁ ।

ହଠାତ୍ କେହି ଜଣେ ହାସ୍ୟପ୍ରିୟା ବୃଦ୍ଧା ଆବୃତ୍ତି କରି ଉଠିଲା,

ଛାଡ଼ିଲେ ଛାଡ଼ି ହେଉନାହିଁ, ନଛାଡ଼ିଲେ ଆଉ ଗତି ନାହିଁ

ଚୁଚୁନ୍ଦ୍ରାକୁ ନାଗ ଧଇଲା ଦୁର୍ଯୋଗ

ସମ୍ପାଦି ରଖିଥିଲା ବିହି,

ଲୋ ପ୍ରାଣ ସହି–

ବୀଣା ଏ ପଦଟି ଶେଷ ନ ହେଉଣୁ ଚାଲିଯିବାକୁ ଉଠିଲା ।

ଅନ୍ୟ ଏକ ବୃଦ୍ଧା କହିଲା, କାହିଁକି ଚାଲିଯାଉଚ ମ, ଲୋକଗୁଡ଼ାକ ପିଲାଟାକୁ ରଖାଇ ଥୋଇ ଦେବେନି ?

ପୁଣି ସେଇ ହାସ୍ୟପ୍ରିୟା କହିଲା, ହଁ, ଏଇଠି ଆଉ ବସିବେ କାହିଁକି, ଚାଲି ଯା ଗୋ ତମର ତାଙ୍କ ପାଖକୁ–

କେତେ ହାସ୍ୟ କୌତୁକ ଆଳାପ ସଂଳାପ ଭିତରେ ଏ ଅଧ୍ୟାୟ ଶେଷ ହୋଇଗଲା । ସେଦିନ ବୀଣା ମୋ ଆଡ଼େ ଚାହିଁ ନାହିଁ । ମାଉସୀ କହିଲେ, ଫ୍ରେଡ଼୍‍କୁ ଜୁହାର କରୁନୁ–

ସେ କିଛି ଉତ୍ତର ନ ଦେଇ ଗାଡ଼ି ଚଢ଼ିଲା ।

ମୋଟର ଚଢ଼ିଲା ବେଳକୁ ମାଉସୀ ଓ ମାମୀ ପରସ୍ପର ଚୁହାଁ ଚୁହିଁ ହୋଇ ହସିଲେ । ଏ ହସ ବିନିମୟରେ ଆମର ଜୀବନ-ଶିର ଉପରେ ଯେପରି କଲ୍ୟାଣ-କୁସୁମ ବୃଷ୍ଟି ହେଲା ।

ଯେଉଁଦିନ ବାପ-ମାଙ୍କ ସ୍ନେହାଶୀଷ ଲଭି ଆମ ପ୍ରଣୟ-ଧାରା ଗଙ୍ଗା-ଯମୁନା-ସଙ୍ଗମ ତୀର୍ଥଫଳ ପ୍ରାପ୍ତ ହେଲା, ସେଦିନ ଠାରୁ ବୀଣା ମୋ ସହିତ ଭଲ ଭାବରେ କଥା କହିପାରିଲା ନାହିଁ, ମୋର ଦୃଷ୍ଟି-ପଥରୁ ଅପସରି ଯିବାକୁ ଚେଷ୍ଟା କଲା । ପ୍ରକୋଷ୍ଠ ଭିତରେ ଏକାନ୍ତରେ ଡାକିଲେ ସୁଦ୍ଧା ’ଆସୁଚି’ ବୋଲି ଚାଲିଯାଏ । ଧରାଛୁଆଁ ଦିଏ ନାହିଁ । ଏହା ମୋର ଅନ୍ତରକୁ କେଡ଼େ ଆଘାତ ଦିଏ, ସେ ବୁଝିପାରେ ନାହିଁ ବୋଧହୁଏ । ଗଙ୍ଗା-ଯମୁନାର ଅଭେଦ ମିଳନ ଭିତରେ ବିରହ ଭୁଞ୍ଜିବାର ଆସିଲା କିପରି ! ପ୍ରୀତି ବେଭାରର ଏ ରହସ୍ୟ ଦୁର୍ବୋଧ ହେଲା ।

ସେ ଦିନ ନିର୍ଜ୍ଜନ ମନ୍ଦିରରେ ବୀଣାର ହାତ ଧରି କହିଲି, ଆସିବୁନି ବୀଣା–

ସେ ବଡ଼ ପାଟିରେ କହିଲା, ଛାଡ଼–ପଛେ ଆସିବି-ନା, ଛାଡ଼ିବିନି–କହି ହାତକୁ ଭିଡ଼ି ଚାପି ଧରିଲି ।

ସେ ହାତ ଛିଞ୍ଚାଡ଼ି ଦେଇ ଖସିଗଲା । ହସି ହସି ଚାଲି ଯାଉଥିଲା ।

ଦେଖିଲି ବୀଣାର କନକ ଚୁଡ଼ିର ତୀକ୍ଷ୍ମ ସୂଚି ବାଜି ମୋର ହାତ ଚିରି ହୋଇ ଯାଇଚି । ରୁକ୍ଷକଣ୍ଠରେ କହିଲି, ମୋର ରକ୍ତ କାଢ଼ିବା ପାଇଁ ଏ ନାଟ ଲଗାଇଚୁ, ନୁହେ ? ହେଉ, ତୋର ଇଚ୍ଛା ପୂର୍ଣ୍ଣ ହେଉ–

ଆହତ ଫଣିନୀ ପରି ମୁହଁ ବୁଲାଇ ସେ କହିଲା, କ’ଣ କହିଲି ?

ନିର୍ଭିକ ଚିତ୍ତରେ କହିଲି, ମୋର ରକ୍ତ ଝରାଇବା ପାଇଁ ଏ ନାଟ ଭିଆଇଚୁ–

କଥା ଶେଷ ନ ହେଉଣୁ ମୋର ରକ୍ତସ୍ରାବ ଦେଖି ସେ ଚମକି ପଡ଼ି ଧାଇଁ ଆସିଲା । ହାତ ଉପରେ ପଣତ କାନି ଭିଡ଼ି ନିରେଖି ଚାହିଁଲା । ଦେଖିଲି ସେଇ ବିକଳ ଚାହାଣୀ ଭିତରୁ ଅଶ୍ରୁ-ଲହରୀ ଛୁଟି ଆସିଚି । ତଥାପି ହାତ ଛିଞ୍ଚାଡ଼ି’ ଛାଡ଼’ ବୋଲି ବାହାରିଲି । ବୀଣା ମୋ ପଛେ ପଛେ ଆସି ନମ୍ର ଭାବରେ କହିଲା, କ୍ଷମା କରିବନି–

ବୀଣାର ଏ ବିକଳ ଦେଖି ମନ ତରଳି ଯାଇଥିଲା;ତଥାପି ପୁରୁଷ ମନ । କହିଲି, ଚୁପ୍‌କର, କ୍ଷମା ଦେବାକୁ କାହାକୁ କହୁଚୁ–

ମତେ–

ଗଣିକା ଗୁଡ଼ାକୁ କ୍ଷମା କ’ଣ ? ଶେଯରେ ଶୋଇପଡ଼ିଲି । ସେ ମୋର ପାଦଦେଶରେ ବସିଲା । ଘଣ୍ଟାଏ ଚାଲିଗଲା । କଥାବାର୍ତ୍ତା ସବୁ ବନ୍ଦ ।

ଏଇ ନୀରବତା ମଧ୍ୟରେ ବୀଣା ଯେ କି ଯନ୍ତ୍ରଣା ଅନୁଭବ କରୁଥିବ, ସେଇ ଭାବନା ହୃଦୟକୁ ମନ୍ଥି ପକାଇଲା । ମୁହଁ ବୁଲାଇ ଦେଖିଲି ବୀଣା ତାର କମଳ-ଆନନକୁ ଲୋତକ-ଘନ-ତୁଷାରରେ ଘେରାଇ ରଖିଚି । ବାହୁ ଦୋହଲାଇ ଡାକିଲି, ବୀଣା–

ସେ ଚାହିଁଲା । ହୃଦୟ ଯେପରି ତାର ସଙ୍ଗହୀନ ବିଳାପ କରି ଉଠୁଥିଲା । ମୁଁ ସେଇ ବେଦନା ଜଡ଼ିତ ଚାହାଣୀ ଦେଖି ମ୍ରିୟମାଣ ହେଲି ।

ଭୁଜ ଧରି ଟାଣି ଆଣିଲି । ସେ ଢଳି ପଡ଼ି ମୋର ବକ୍ଷକୁ ଅଶ୍ରୁରେ ସିକ୍ତ କଲା । ଡାକିଲି, ବୀଣା–

ଷୋହଳ ବର୍ଷର କୁମାରୀ ସେ । ବ୍ୟଥା ଉତ୍ସ୍ୱସିତ କଣ୍ଠରେ କହିଲା, ମୁଁ ଗଣିକା ହେଲେ କାହାର ସେ ଅପମାନ–

ଦୂର ଦିଗ୍‍ବଳୟ ଆରପାରରୁ ଧୂସର ସଂଧ୍ୟା ଧରଣୀ ଉପରେ ପାରି ଦେଇଥିଲା ତାର ଆସ୍ତରଣ । ଘର ଭିତରେ ଅସ୍ପଷ୍ଟ ଆଲୋକ ଆହୁରି ଅସ୍ପଷ୍ଟ ହୋଇ ଆସୁଥାଏ । ଆକାଶ ତଳେ ତାରକା ପୁଞ୍ଜ ଶାନ୍ତ ।

ଲାଇଟ୍‌ର ସ୍ୟୁଚ୍‌ଟିକୁ ଟିପି ଦେଲି । ବାବା କର ଲେଉଟାଇ ନିଶ୍ୱାସ ଛାଡ଼ିଲେ ।

ବାବା, କିମିତି ଲାଗୁଚି ?

କିଏ ? ଫ୍ରେଡ଼୍‍ ହଁ–ଲାଗୁଚି, ଭଲ ହୋଇଯିବି ?

ନିଶ୍ଚୟ ବାବା । ଏଡ଼େ ବିଚଳିତ କାହିଁକି ହେଉଚ ?

ନା,–ବିଚଳିତ ନୁହେଁ, ଫ୍ରେଡ଼୍‍ ମୁଁ ଭଲ ହୋଇଯିବି ।

ହେଉ, ମୋର ଆଶୀର୍ବାଦ ନିଅ, ତୋର ଜୀବନକୁ ବିଶ୍ୱଜୀବନ କୃତାର୍ଥ କରନ୍ତୁ । ଆ, ମୋ ପାଖରେ ଟିକିଏ ବସ–

ପାଖରେ ବସିଲି, ବାବା ମୋ ହାତକୁ ଧୀରେ ଭିଡ଼ି ଧରିଲେ ।

ବୀଣା କଫି ଧରି ଆସିଲା; ବାବା ପଚାରିଲେ, କିଏ ?

ବୀଣା

ସ୍ୱସ୍ତି କଣ୍ଠରେ କହିଲେ, ବୀଣା ଆସିଲା, ହେଉ, ଆସୁ–କଫି ସାରିବେ, ବାବା–ପଚାରିଲା ବୀଣା ।

ନା, ମା, ଏବେ କଫି ଆଉ ହେବନି; ଏଇଠି ବସ

ବୀଣା ବସିଲା ।

ବାବା କହିଲେ, ଫ୍ରେଡ଼୍‍ କେଉଁ ଭଗବାନ ତୋର ଶୁଭ ପାଞ୍ଚୁଛନ୍ତି, ତାଙ୍କୁ ତୁ ଜାଣୁ ? ତୁ ଜଣାଇବୁ କିପରି ? ମୁଁ ତ ଜାଣିପାରିନି–ତୁ ଛାଡ଼–ଭଗବାନ ଆଉ କେହି ନାହାନ୍ତି, ବିଶ୍ୱାସ କେବଳ ଭଗବାନ । ଯେଉଁ ପୁରୁଷ ସାକାର ଓ ନିରାକାର, ସେ କେବଳ ଭଗବାନ । ଆମର ଏଇ ଆଖିରେ ଭଗବାନ ଦିଶିବେ ଆଉ ଦିଶିବେନି । ଆମର ଏଇ ଛାତି ଘେନି ପରମେଶ୍ୱରଙ୍କ ସ୍ପର୍ଶ ପାଇବା ଆଉ ପାଇପାରିବାନି । ବଡ଼ ରହସ୍ୟମୟ ସେ କଥା । ଚଉଦ ବର୍ଷ କାଳ ଯେ ବନବାସ କରିଥିଲେ, ଶବର ଶରାଘାତରେ ପ୍ରାଣ ହରାଇଥିଲେ, କିସା ଗୌତମୀଙ୍କୁ ସଂସାର-ଇନ୍ଦ୍ରଜାଲରୁ ଟାଣି ନେଇଥିଲେ ମୁକ୍ତି ପଥକୁ, ସେଇ-ସେଇ ଏକା ନିର୍ବିକାର, ସର୍ବାକାର; ତାଙ୍କୁ ଏ ପାଷାଣ-ପୂଜା ଭିତରେ ବାନ୍ଧି ରଖିବା ଅସମ୍ଭବ । ମୋ ଆଖିରେ, ମୋ ଛାତିରେ, ମୋ ଦେହରେ, ମୋର ଏଇ ପ୍ରତ୍ୟେକ ଲୋମକୂପରେ ଯାହା ଦେଖେ, ସ୍ପର୍ଶ କରେ, ଅନୁଭବ କରେ, ସେଇ ଅନାଦି ପୁରୁଷ । ଅପରିପକ୍ୱଙ୍କୁ ପାଠ ଶିଖାଇବା ପାଇଁ ଏ ଦେଉଳ ସବୁ ତିଆରି ହୋଇଚି–

ମାଉସୀ ଲଳିତା ଦେବୀ, ମାମୀ ଓ ସୁମ ଆସି ପହଞ୍ଚିଲେ । ଲଳିତା ଦେବୀ କହିଲେ, ପିଲାଙ୍କୁ ଧରି ଆପଣ କ’ଣ ସିମିତି ଗୁଡ଼ାଏ କହୁଚନ୍ତି–ବେଶି ଆୟାସ ହେବ ।

ବାବା ଦୀର୍ଘ ନିଶ୍ୱାସ ନିକ୍ଷେପ କରି ଆମ ଆଖିରୁ ଅଶ୍ରୁକୁ ଟାଣି ଆଣିଲେ । କହିଲେ, କହିବିନି–ହେଉ କହିବିନି- ଆଉ କାହାକୁ କହିବି ? ସେମାନେ ଛୁଆ–ମୋର ଡିମ୍ବ ତାଙ୍କୁ ମୁଁ ଉପଦେଶ ଦେବିନି, ଆଉ କାହାକୁ ଦେବି ।

ଆପଣ ଇମିତି ବ୍ୟସ୍ତ କାହିଁକି ହେଉଚନ୍ତି ? ପିଲାମାନଙ୍କୁ ଏପରି କହନ୍ତି କି ? କହିଲେ ମାଉସୀ ।

କହିବିନି ? ହେଉ–ବାବା ଆମକୁ ପଛ କରି କଡ଼ ଲେଉଟାଇ କହିଲେ, ତୋର ମାଉସୀ ମନା କରୁଚି, ହେଉ ମୁଁ ଆଉ କହିବିନି ।

ମୁଁ ବାବାଙ୍କର ହାତ ଧରି କହିଲି, ବାବା ତମେ ଆମକୁ ଉପଦେଶ ଦେବନି ତ ଆଉ ଦେବ କିଏ ?

ବୀଣା ମୋ ପଛେ ପଛେ ଆସିଲା । ମାଉସୀ ଆଖି ଠାରି ମନା କରିବାର ମୁଁ ଦେଖିଲି; ତଥାପି ବୀଣା ଆସି ମୋ ପାଖରେ ବସିଲା ।

ବାବା କହିଲେ, ତୁ ଆସିଲୁ ମା ବୀଣା ତୋର ମା ପରା ମନା କରୁଚନ୍ତି- ତୋ ଉପରେ ମୋର କି ଅଧିକାର ଅଛି ?

ବୀଣା କିଛି ନ କହି ମୁଣ୍ଡ ପୋତି ଦେଲା ।

ବାବା ଦୀର୍ଘ ନିଶ୍ୱାସ ଛାଡ଼ି ମନକୁ ମନ କହିଲେ, ଆତ୍ମନ, ତୋର ଗତି କୁଆଡ଼େ ? ତୁ କେବେ ଲୀନ ହେବୁ ସେଇ ବିରାଟ ଚରଣ ତଳେ ? ପ୍ରଭୁ, ଆଜି ଯାଏଁ ଏ ଜୀର୍ଣ୍ଣ ତରୀକୁ ବହି ଆଣିଚ, କାହିଁ ମୋର କର୍ଣ୍ଣଧାର ? ଆଜି ଚରଣ ତଳେ ବିଶ୍ରାମ ନେବା ପାଇଁ ଡାକୁଚ–ହେଉ, ମୁଁ ଆସିବି–ନିଶ୍ଚୟ ଆସିବି-ଏଇ ଆସୁଚି–

କ’ଣ ବାପା ଇମିତି ବାଉଳୁଚ-ଅଳ୍ପ ହଲାଇ କହିଲି ।

ସେ ଟିକିଏ ଚମକି କହିଲେ, ଫ୍ରେଡ୍‌ ମତେ ଆଉ କେହି ବିରକ୍ତ କର ନାହିଁ, ଶାନ୍ତିରେ ନିଶ୍ୱାସ ମାରିବାକୁ ସମୟ ଦିଅ, ତମଠାରୁ ମୋର ମୋହ ଛାଡ଼ି ଆସିଲା । ସୁମ ତତେ ଲାଗିଲା । ବାବୁ ନଥିବା ପିଲାକୁ ଭଲ ପ୍ରସଙ୍ଗରେ ବାହା କରି ପଠାଇଦେବୁ, ବୁଝିଲୁ-

ମାମୀ ଆସି କହିଲେ, କଫିଟା ଥଣ୍ଡା ହୋଇଯିବ, ଟିକିଏ ସାରି ଦିଅନ୍ତୁ–

କିଏ ? ଶାନ୍ତି–ତମେ-ତମଠାରେ ମୁଁ କୃତଜ୍ଞ–

ମାମୀ ବାବାଙ୍କର ପାଦ ଧରି କହିଲେ, ଇମିତି କଥା କାହିଁକି ତୁଣ୍ଡରେ ଧରୁଚନ୍ତି !

ନା, ଶାନ୍ତି, ମଣିଷ ମଣିଷ ଭିତରେ ସାନ ବଡ଼ ଥିବା ଜୀବନ ଆଜି ଆଉ ନାହିଁ । ସେ ଦୃଷ୍ଟି ଆଜି ମୋର ନାହିଁ । ତୁମର ଶାନ୍ତ କ୍ରୋଡ଼ରେ ମୋର ଜୀବନକୁ ଯେପରି କଟାଇ ଆଣିଚ, ସେଥିପାଇଁ ଆଜି ତମକୁ ଧନ୍ୟବାଦ ଦେଉଚି । ଏଥିରେ ତମେ ବ୍ୟସ୍ତ ହେବାର କଥା କିଛି ନାହିଁ । ସୁମ ତୁମକୁ ଲାଗିଲା । ସମ୍ମାନ କରି ପଠାଇ ଦେବ-ହଁ-ଏଥର ମୁଁ ଯିବାର ସମୟ ଆସିଗଲା । ଲଳିତା ଦେବୀ କାହାନ୍ତି ? ହଁ, ଲଳିତା ଦେବୀ, ମୋର ପୁଅ ବହୂକୁ ଦେଖି ସାରିଚି, ଏଥର ମୁଁ ପାଇଲି । ଫ୍ରେଡ଼୍‍, ମତେ ଟିକିଏ ଧରତ-

ସୁମ କାଳେ ଡରିବ ବୋଲି ଲୋକେ ତାକୁ ନେଇଗଲେ । ବାବା ମୋତେ ଛାତି ଉପରକୁ ଆଉଜି ଶୋଇଲେ । କହିଲେ, ମତେ ଗଙ୍ଗାଜଳ ଦିଅ ।

ମାମୀ ଧକେଇ ଧକେଇ କହିଲେ, କ’ଣ ସିମିତି ହେଉଚନ୍ତି ?

ମୋ ପାଟିରେ ଗଙ୍ଗାଜଳ ଦେବନି ? ଭ୍ରମରେ ପଡ଼ନା । ପଛେ ଅନୁତାପ କରିବ- କ୍ଷୀଣ କଣ୍ଠରେ କହିଲେ ବାବା ।

ମାଉସୀ ଗଙ୍ଗାଜଳ ଆଣି ବାବାଙ୍କ ତୁଣ୍ଡରେ ଦେଇ ମାମୀକୁ ଡାକିଲେ । ମାମୀ ଆସି ପାରିଲେନାହିଁ । ମୋ ହାତକୁ ବଢ଼ାଇ କହିଲେ, ଦିଅ–

ମୋ ଆଖିରୁ ଲୁହ ବାବାଙ୍କ କପାଳ ଉପରେ ଝରି ପଡ଼ିଲା । ଆଉ ବୀଣାର ଦୁଇ ଟୋପା ଅଶ୍ରୁ ମୋ ବାହୁ ଉପରେ ପଡ଼ିଲା । ବାବାଙ୍କ ଅଧରରେ ଗଙ୍ଗାଜଳ ଦେଲା ବେଳକୁ ମୋ ହାତ ସହିତ ବୀଣା ତାର ହାତକୁ ମିଶାଇ ସାରିଥିଲା ।

ତହୁଁ ମାମୀକୁ ଡ଼ାକି କହିଲି, ମାମୀ ଦିଅ–

ମାମୀ ପଛଘୁଞ୍ଚା ଦେଲେ । ଛାତିକୁ ପଥର କରି ରୁକ୍ଷକଣ୍ଠରେ କହିଲି, ଆଉ କେବେ ଦେବ-ଆସ–

ମାମୀ ଗଙ୍ଗାଜଳ ଦେଲେ । ହଠାତ୍ ତାଙ୍କ ହାତର କାଚ ଚୁଡ଼ିଟା ଠୋ କରି ଭାଜିଲା ବେଳକୁ ଦୀପଟି ଲିଭି ଯାଇଚି । ସେ ମୂର୍ଛାହୋଇ ପଡ଼ିଗଲେ ।

ଗିରିଧର ବାବୁ ଆସିଲା ବେଳକୁ ଏଇ ଦୁନିଆରେ ବାବାଙ୍କର ଆତ୍ମା ନଥିଲା ।

ସବୁ ଶେଷ ହେଇଗଲା । ମାମୀର କପାଳ ସିନ୍ଦୂର ଅଦୃଶ୍ୟ ହୋଇଗଲା ।

ମାମୀକୁ ସୁଶ୍ରୁଷା କଲେ ବୀଣା ଆଉ ମାଉସୀ । ଆଗକୁ କେହି ନାହିଁକି ପଛକୁ କେହି ନାହିଁ । ମୁଁ ବଡ଼ ଆଉ ମୋ ପାଖକୁ ଛୋଟ ଭଉଣୀ ସୁମ । ସବୁ ଶେଷ ହୋଇ ଯାଇଚି । ମୁଁ ଜଣେ-ମତେ ହିଁ ସବୁ କରିବାକୁ ହେବ–

ସମସ୍ତେ ମୋଟର ଚଢ଼ିଲେ ।

ଯିବା ପୂର୍ବରୁ ମଉସା ଓ ମାଉସୀଙ୍କୁ ପ୍ରଣାମ କଲି, ଆଉ ବୀଣାକୁ କହିଲି, ଯାଉଚି–

ଅକ୍ଷ ନିୟତ ବୁଲୁଚି ।

ଯାହା କିଛି ମଳିନ, ଅସୁନ୍ଦର, ନିସ୍ତେଜ, ବୁଭୁକ୍ଷୁ, ମ୍ରିୟମାଣ, ତାହା ଧ୍ୱସ୍ତ ହୋଇ ଯାଉଚି । ପୁରୁଣା ସ୍ଥାନରେ ନୂଆ ଆସୁଚି, ନୂଆ ସ୍ଥାନକୁ ଅନାଗତ ଅନାଇ ରହିଚି । ନୁଆ ପୁଣି ଜରାଜୀର୍ଣ୍ଣ ହେଉଚି । ଆଶା ଅଟ୍ଟାଳିକା ଧୂଳିସାତ୍ ହେଉଚି । କଳ୍ପନା-ବିଳାସ ପାଂଶୁଳ ହୋଇ ଯାଉଚି । ବିଶ୍ୱ ଗତିରେ ବିଚିତ୍ର ସୁନ୍ଦର !

ଗିରିଧର ବାବୁ ବା ସେ ହୁନ୍ଦରକୁ ଏଡ଼ନ୍ତେ କିପରି ? ବାବାଙ୍କ ପଛେ ପଛେ ସେ ଚାଲିଗଲେ । ବିଶ୍ୱରେ ଆମର ଏଇ ଜନ୍ମର ପିତୃସ୍ଥାନ ମହୋଦଧିରେ ମିଶିଗଲା । ତ୍ରୀବେଣୀ ତୀର୍ଥରୁ ପବିତ୍ର ବାରି ରାଶିରେ ଆମରପିତୃ-କାହାଣୀ ଶେଷ ହୋଇଗଲା ।

ଆମେ ଫେରିଲୁ ।

ବର୍ଷେ ଗଡ଼ି ଯାଇଚି । ମାଉସୀ ଲଳିତା ଦେବୀଙ୍କ ନିକଟକୁ ମାମୀ ଲେଖିଲେ, ଭଉଣୀ, ତମର ମୋର ସବୁ ସଧ ସରିଯାଇଛି । ତମର ପୁଅ ନାହିଁ ଆଉ ମୋର ବୋହୁ ନାହିଁ । ସବୁ କଥାତ ଚଳି ଯାଇଥିଲା । କେବଳ ବିବାହଟା ଥିଲା ବାକୀ । ବୀଣା ସହିତ ଫ୍ରେଡ୍‌ର ବିବାହଟା ଏଇ ମାଘ ଶୁକ୍ଲ ପଞ୍ଚମୀରେ ବଢ଼ାଇ ଦେଲେ ଭଲ ହେବ । କ’ଣ କହୁଚ ଲେଖିବ, ଏଠା ସବୁ କୁଶଳ । ତମର ସର୍ବାଙ୍ଗୀନ କୁଶଳ ସକାଶେ ଇଶ୍ୱର ବିରାଜମାନ । ପତ୍ର ଦେବ–

ଜବାବ ଆସିଲା, ଅପା, ତମେତ ସବୁକଥା ଜାଣ । ବୀଣାର ବିବାହ ଅନ୍ୟଠାରେ ଠିକ୍ କରି ସାରିଲିଣି । ଯେଉଁଠି ଯିଏ ଚାଉଳ ପକାଇବାକୁ ଥିବ, ସେଠିକି ସେ ଚାଲିଯିବ । ଆମେ କ’ଣ କରିପାରିବା ? ପିଲାଟା ଏବେ ପାଠ ପଢ଼ୁଛି–ଆସନ୍ତା ବର୍ଷ ବିବାହ ହେବ । କିଛି ଭାବିବ ନାହିଁ । ଆଶାକରେ ସମସ୍ତେ ଭଲରେ ଥିବ–

ମାମୀ ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ ମୋ ହାତକୁ ପତ୍ର ଖଣ୍ଡିକ ବଢ଼ାଇ ଦେଲେ । ଘଣ୍ଟାଏ କାଳ ଧରି ପଢ଼ିବାର ବିଷୟ ବସ୍ତୁ କିଛି ନଥିଲା । ଲଳିତା ଦେବୀ ନିର୍ଦ୍ଦିଷ୍ଟ ଉତ୍ତର ଦେଇ ସାରିଚନ୍ତି । କହିଲି, ବୀଣାର ବିବାହ ଅନ୍ୟ ଠାରେ ଠିକ୍ ହୋଇ ସାରିଚି ।

ସୁମ ବିସ୍ମୟରେ ପଚାରିଲା, ବୀଣା ଅପା ଆଉ କାହାକୁ ବାହା ହେବ ? କିଏ ଲେଖିଚି-?

ମାମୀ କହିଲେ, ତୋର ମାଉସୀ ଲେଖିଚି । ପାଖରେ ଥିବା ଲୋକେ ବିସ୍ମିତ ହେଲେ ତଥାପି କ’ଣ କରିପାରିବେ ? କିଏ ହସିଲା, କିଏ ବା ଦୁଃଖ କଲା । ଚୌକିରୁ ଉଠି କହିଲି, ଏ ଚିଠିଟା ନେଉଚି, ମାମୀ । ଆତୁରରେ ସେ କହିଲେ, କୁଆଡ଼େ ଯାଉଚୁ ?

ଡରୁଚୁ, ମା, କାଳେ କିଛି ଦୁର୍ଘଟଣା ଘଟିବ ବୋଲି ? ତୋର ପୁଅ ଜୀବନର କୁରୁକ୍ଷେତ୍ରରେ କେବେ ପଛ ଘୁଞ୍ଚା ଦେବ ନାହିଁ ।

ମାମୀଙ୍କ ହାତ ଶିଥିଳ ହୋଇଗଲା । ମୁଁ ଚାଲିଗଲି ମୋର ଏକାନ୍ତ ପ୍ରକୋଷ୍ଠକୁ । ଲେଖିଲି–

ନିଜର,

ତୁ ମୋର ନିଜର ହୋଇ ସାରିଚୁ । ଆଜି ଛାଡ଼ିବା ଆଗରୁ ତୋତେ ନିଜର ବୋଲି ଡାକି ଥରେ ମାତ୍ର ଆତ୍ମ ତୃପ୍ତି ଲଭିଥାଏ । ଆମର ପତି-ପତ୍ନୀ ଜୀବନ ଏଇଠି ଶେଷ ହୋଇଗଲା । ଭାବିବାକୁ ପଡ଼ିବ ଆମେ ଆଉ ଏ ସଂସାରରେ ନାହୁଁ । ଶ୍ମଶାନର ମାଟିରେ ମିଶି ଯାଇଚୁ ।

ମୁଁ ଜାଣେ, ମାଉସୀ ଆମ ମୁହଁକୁ ଚାହିଁବେନି । ତୁ ଜାଣିଥିବୁ କି ନାହିଁ, ମାଉସୀ ତୋର ବିବାହ ଅନ୍ୟ ଏକଠାରେ ଠିକ୍ କରି ମାମୀ ପାଖକୁ ନିର୍ଦ୍ଦିଷ୍ଟ ଉତ୍ତର ଦେଇସାରିଚନ୍ତି । ଜଣା ପଡ଼ିଚି, ସେ ଆଉ କଦାପି ଆମ କଥା ରଖିବେନି । ତାଙ୍କର ଚିଠି ବି ଏଥିରେ ଦେଇଚି ତୋର ଜଣା ସକାଶେ । ହେଉ ।

ମୁଁ ଜାଣେ ତୁ ଆଜି ତୋ ପତିର ମାନବ-ରୂପି ଭସ୍ମ ଉପରେ ଟୋପାଏ ଅଶ୍ରୁ ସିଞ୍ଚି ରତି-ବିଳାପ କରିବୁ । ମୁଁ ତ ଆଉ ତୋର ଲୁହପୋଛି ସାନ୍ତ୍ୱନା ଦେବା ପାଇଁ ସେଇଠି ନଥିବି । ରୁଦ୍ର–ଅଗ୍ନିରେ ମୋର ଦେହ ପୋଡ଼ି ଯାଇଥିବ । ଆଉ-ଆଉ–ଏ ମୋର ଜୀବନ ପାର୍ବତୀର ପ୍ରଜ୍ଜ୍ୱଳିତ ଅଗ୍ନିକୁଣ୍ଡରେ ଝାସ ଦେଖି ବସୁନ୍ଧରା ଥରିଉଠିବ । ଚାଲିଯିବି ଦୂର–ଅତି ଦୂରକୁ, ଏଇ ଜୀବନ୍ତ ବିଯୋଗ ଯନ୍ତ୍ରଣା କେଉଁ ଜନ୍ମକୃତ ମହାପାପଟି ।

ତୁ ବିବାହ କରି ଆନନ୍ଦରେ ରହ । ଏଇ ମୋର ଶେଷ କଲ୍ୟାଣ ।

ଇତି

ତୋର ସର୍ବହରା

ବାସ୍ତବିକ୍ ସୃଷ୍ଟିର ବିଚିତ୍ର ଲୀଳା ବୁଝିବା ପାଇଁ କିଏ ସକ୍ଷମ ।

ମାମୀ ପତି ବିଯୋଗରେ ତ ଅଶ୍ରୁ ଢାଳୁଥିଲେ । ଘା’ ଉପରେ ଟଣକ ପରି ଏ କଥା ହେଲା । ସେ ନିଜ ଆଖିରେ ଦେଖିଚନ୍ତି । ବୀଣା ଆଉ ମୋର ସ୍ନେହ ମମତା । ଉପଯୁକ୍ତ ବୋହୂ ପାଇଚି ବୋଲି ଆନନ୍ଦ ଲଭିଥିଲେ । କିନ୍ତୁ ହେଲା କ’ଣ ? ଦଇବ ଦଉଡ଼ି ମଣିଷ ଗାଇ, ଯେଣିକି ଟାଣିଲେ ତେଣିକି ଯାଇ–

ଏଇ ନୀତି, ଏଇ ଅଭିଶାପ, ଅନାଦି କାଳରୁ ପଡ଼ି ଆସିଚି । ରକ୍ତ ମାଂସ ଶରୀର ଧରଣୀ ବକ୍ଷରେ ଅଭିଯାନ କରି ବୁଲୁଚି । କିନ୍ତୁ ସବୁ କ୍ଷେତ୍ରରେ ସେ ପରାସ୍ତ; ପରାଜୟ ମାଳାକୁ ସେ ସର୍ବଦା ବରଣ କରିବାକୁ ପଡ଼ୁଚି ।

ଖାଇ ବସିଲା ବେଳେ ମାମୀ ମୋ ଆଡ଼େ ଚାହିଁ ଅଶ୍ରୁ ବିସର୍ଜନ କରନ୍ତି । ମୁଁ ମୁଣ୍ଡ ପୋତି ବସେ । ମୋର ଲୁହ ଅନ୍ନ ଲକ୍ଷ୍ମୀଙ୍କ ଠାରେ ମିନତି ଜଣାଏ । ଆମ ଦୁହିଁଙ୍କ ରୋଦନ ଦେଖି ସୁମ କାନ୍ଦି ଉଠେ । ଏଇତ ଦୁନିଆ, ଏଇତ ସଂସାର !

ମାମୀ କହିଲେ, ସୁମର ବିଭାଟା ବେଗି କରିଦେ, ମୁଁ ଯିବା ଆଗରୁ ଦେଖିଥିବି ।

କହିଲି, ହଁ ମା, କରିଦେବି । ଆମ ଘରେ ସୁମର ଅନ୍ନ ଶେଷ ହୋଇ ଆସିଚି–କରିଦେବି-

ସୁମ ସମ୍ଭାଳି ପାରେ ନାହିଁ । ଧକାଇ ଧକାଇ କାନ୍ଦେ । ଚାଲିଯାଇ ଶେଯରେ ଶୋଇପଡ଼େ । ସ୍ନେହକୁ ବାହୁନି ବାହୁନି ପ୍ରାଣ ତେଜିବା ପାଇଁ ଏଇ ଦୁନିଆରେ ଆମର ଜନ୍ମ ।

ସୃଷ୍ଟିର ରହସ୍ୟ ବୁଝିବା ମୋହଗ୍ରସ୍ତ ମାନବ ପକ୍ଷେ ଅସମ୍ଭବ । ସୁଖର ତାତ୍ପର୍ଯ୍ୟ କିମ୍ବା ଦୁଃଖର ମୀମାଂସା ବୁଝିବା ମଣିଷ ବୁଦ୍ଧିର ବାହାରେ ।

ସର୍ଜନାର ମୂଳୋତ୍ପାଟନ କରିବା ପାଇଁ ପ୍ରଳୟ କୁଠାରକୁ ଟେକି ରଖିଚି । କାଳ ଟାକି ରହିଚି–ହସୁଚି । ଶିଶୁ ମୁଖରେ ସ୍ତନ ଦେଇ ମା ଡାକୁଚି, ପିଲା ମୋର ପୂର୍ଣ୍ଣଚନ୍ଦ୍ର ପରି ଦିନକୁ ଦିନ ବଢ଼ିବ । ତାର ଏ ଆଶାକୁ ଝାମ୍ପି ନେବା ପାଇଁ ନିୟତି ଧାଇଁ ଆସୁଚି । ହାୟ ମାତୃ ହୃଦୟ । ହାୟ ସଂସାର !

ଚନ୍ଦ୍ରିକା ବିତାନ ତଳେ ବିଳାସିନୀ ବିପଞ୍ଚି ବାଦନ କରୁଚି ପ୍ରିୟ ଆସି ତାର ସ୍ନିଗ୍ଧ କପାଳରେ ମଧୁ-ଚୂମ୍ବନ ଦେଇ ମୁଗ୍ଧ ଦୃଷ୍ଟିରେ ଚାହୁଁଚି । ନିୟତି ଅନାଇ ରହିଚି ବିଯୋଗ ଫାଶ ଧରି-। ହାୟ ପ୍ରଣୟ ? ହାୟ ସଂସାର ।

ବାଳୁତ ଅଭିମନ୍ୟୁ ପଦ୍ମ-ବ୍ୟୁହରେ ପ୍ରବେଶ କରି ଅପୂର୍ବ ବୀରତ୍ୱ ଦେଖାଉଚି । ଜନ ନୟନକୁ ତାର ଧୈର୍ଯ୍ୟ ସ୍ତବ୍ଧ କରୁଚି । ଶେଷରେ ରଣାଙ୍ଗନରେ ସେ ଭୂତଳଶାୟୀ ହେଉଚି । ହାୟ ବୀର ! ହାୟ ସଂସାର ! ଶୂଦ୍ରକ କାନ୍ତାର ବକ୍ଷରେ ଧ୍ୟାନ ମଗ୍ନ ହୋଇ ତପସ୍ୟା କରୁଚି । ଦଶରଥ ନନ୍ଦନ ରାମଚନ୍ଦ୍ରଙ୍କ ଅସୀର ଶାଣିତ ଧାରରେ ତାର ମସ୍ତକ ଛିଡ଼ି ପଡ଼ୁଚି । ହାୟ ତପଶ୍ଚରଣ ! ହାୟ ସଂସାର ।

ଶ୍ରୀକୃଷ୍ଣଙ୍କ ସନ୍ଧାନ ପାଇଁ ବାଳ ବେଲ୍ଲାବଳ ବିଶ୍ୱ ପର୍ଯ୍ୟଟନ କରୁଚି । ଶେଷରେ ଶର ଆସି ଆପଣା କ୍ଷୁଦ୍ରାଙ୍ଗୁଳିରେ ନଖ ତଳେ ଦେଉଚି ମୃଦୁ ଚିହ୍ନ । ହାୟ ଅହେତୁକ ! ହାୟ ସଂସାର ।

ଘର ଭିତରେ ଶୋଣିତ-ପିପାସୀ ଲହ ଲହ ରସନା ଦୌପଦୀ-ରକ୍ତକୁ ଚାଟି ନେଉଚନ୍ତି-। ହାୟ ବିଭତ୍ସ ! ହାୟ ସଂସାର !

ରାଜନ୍ୟ ମଣ୍ଡଳୀ ଭିତରେ ଧର୍ମରାଜ-ହୃଦୟ- ରାଣୀ ଉଲଗ୍ନ ମୁକୁଳିତ କେଶରେ ପ୍ରଳୟ ରୂପ ଧରି ଧ୍ୱଂସ ଅଭିଶାପ ଦେଉଚି । ହାୟ ରୌଦ୍ର ! ହାୟ ସଂସାର !

ସୃଷ୍ଟି ଚାଲିଚି । ଯେ ଯାହା କରିବା ପାଇଁ ବରାଦ ହୋଇଚି, ସେ ତାହା କରି ଯାଉଚି । ମାନବ ମୁଁ କରୁଚି ବୋଲି ଫୁଲି ଯାଉଚି–କିଛି ଯେପରି ଆପଣ ବିନା ଚଳି ନାହିଁ । ହାୟ ଗର୍ବ ! ହାୟ ସଂସାର !

ବେଲ୍ଲାବଳ କହୁଚି, ଶଙ୍ଖ ବାଜୁଚି-ଚକ୍ର ଛେଦୁଚି । ପଥେ ପଥେ କେତେ ଚାଲିଗଲେ ଆଜି ମରଣ ଯାତ୍ରି ଦଳ-ଗର୍ବର ଟୀକା ଲିଭାଇ ଦେଉଚି କ୍ଷୁଧିତର ତୁଷାନଳ; ବିଶ୍ୱ ବିଜୟ ଶଙ୍ଖ ଡାକୁଚି ଆସ ଆସ ନୂଆ ଯୁଗ-ଧରଣୀ ଉପରେ ତୁମର ଜୀବନ ଯେତେ ଅଛି ତାହା ଭୋଗ ।

ଏଇତ ଦୁନିଆ । ଦୁଃଖ ଭିତରେ ବସି ସୁଖକୁ ଖୋଜିବା ବାସ୍ତବିକ୍ କେଡ଼େ ହାସ୍ୟାସ୍ପଦ । ମଣିଷ ଭାବୁଚି, ଧରଣୀ ସୁଖମୟ, ଅମୃତମୟ, ସୁନ୍ଦରମୟ । କାହିଁ ତାର ସୌନ୍ଦର୍ଯ୍ୟ ? କେଉଁଠି ? କାହିଁ ତାର ସୁଖ-ସୌଧ ? ଦୁଃଖ ଯେତେବେଳେ ହତାଶରେ ହାଲିଆ ମାରେ, ସେଇ ସମୟକୁ ମଣିଷ କହେ ସୁଖ, ନୁହେ ? ଅବୋଧ ମାନବ !

ସୁମର ବିବାହ ହୋଇ ଯାଇଚି । ବାବାଙ୍କର ଶେଷ ମନୋବାଞ୍ଛା ପୂର୍ଣ୍ଣ ହୋଇଚି । ମୋର ଏକ ମାତ୍ର ଗୁରୁ ଦାୟିତ୍ୱରୁ ମୁଁ ଅବ୍ୟାହତି ପାଇଚି । ସଂସାରରେ ମୁଁ ଆଉ କିଛି ଲୋଡ଼ୁନଥିଲି ।

ବିବାହ ତିନି ମାସ ପରେ ନବ ଦଂପତ୍ତି ଆମ ଘରେ ରହିବା ପାଇଁ ଆସିଚନ୍ତି । ଭିଣୋଇକୁ ମୁଁ ଭାଇ ବୋଲି ଡାକେ । ଆଉ ସେ ମୋତେ ଡାକେ ନନା । ତାର ଅଗ୍ରଜ ସ୍ଥାନ ପୂରଣ କରେ ମୁଁ । ଏଇ ସ୍ନେହ ଭିତରେ ସୁମ ପତି ଠାରେ ସ୍ୱାଭାବିକ ଲଜ୍ଜା ଓ ସଂକୋଚ ଅନୁଭବ କରି ମୋ ଠାରେ ଅଳି ଦଳି କରେ । ଅଡ଼ିବି ଦେଖି ମୁଁ ଡାକେ, ଭାଇ ଦେଖତ, ସୁମ କିମିତି ଦୁଷ୍ଟ ହେଲାଣି–

ରମେଶ ଅନ୍ୟ କକ୍ଷରୁ ଆସି କହେ, ତମ ଭାଇ ଭଉଣୀଙ୍କ କଳି କଜିଆରେ ମତେ କିପାଁ ଅକାରଣରେ ପୁରୋଉଚ ?

ସୁମ ମୋ ଡେଣାକୁ ପୁଳାଏ ଚିମୁଟି ଦିଏ । ମୁଁ ରମେଶ କୁ ନେଇ ନାଲି ଦାଗଟା ଦେଖାଇ କହେ, ଦେଖିଲୁଟି, ସୁମ ମତେ କିମିତି ହରବର କରୁଚି ।

ସୁମ ଆଡ଼େ ରମେଶ ଚାହିଁ ସ୍ମିତ ହାସରେ କହେ, ନନାଟାକୁ ଇମିତି ହରବର କରନ୍ତି ?

ସୁମ ମୋର ପଛପଟେ ମୁହଁ ଲୁଚାଇ କହେ, ଆମ ନନା ଭଉଣୀ କଥାରେ ଆପଣ ମଧ୍ୟସ୍ଥ ହେବାକୁ କିଏ କହିଲାକି ? ଏଇ ସ୍ନେହ ଭିତରେ ଆଜି କାଲି ମୋ ଜୀବନ ଅତିବାହିତ ହେଉଚି ।

ସେଦିନ ଠିକ୍ ଏଇ ରୀତିରେ ଆମ ହାସ୍ୟ କୌତୁକ ଚାଲିଥିଲା ।

ସୁମ କହିଲା, ଆପଣତ ନନାଙ୍କର ଜୁଆଁଇ-ଆଉ–

ରମେଶ ସହସା ଉତ୍ତର ଦେଲା, ଓ, ତେବେ କହୁଚ, ଏଇଠି ମୁଁ ଭାଇ ପରି ନଚଳି ବନ୍ଧୁ ହିସାବରେ ଚଳିବାକୁ ହେବ । ହେଉ, ଏତ ତମର ଆଦେଶ । ଶିରୋଧାର୍ଯ୍ୟ କରିବାକୁ ପଡ଼ିବ । ଏତିକି କହି ସେ ପାଖରେ ଥିବା ଲଫାପାଟି ଖୋଲିଲା

ହଠାତ୍ ସ୍ମୁତିର ଆବେଶ ମତେ ଗମ୍ଭୀର କରିଦେଲା ।

ରମେଶ ଲକ୍ଷ୍ୟ କରିପାରି ନାହିଁ । ନିମନ୍ତ୍ରଣ ପତ୍ରରୁ ଆଖି ଫେରାଇ କହିଲା, Who is this Beena-going to be married–

ସୁମ ରମେଶ ହାତରୁ ପତ୍ରଟିକୁ ଛଡ଼ାଇ କହିଲା, ତମ ପେଟରେ ଫାଳେ ସୋରିଷ ବି ରହିବ ନାହିଁ– ।

ମୋ ସହିତ ବୀଣାର ସଂପର୍କ ରମେଶଙ୍କୁ ସୁମ ବୋଧ ହୁଏ କହି ସାରିଚି ।

 

ମୋର ଅଶ୍ରୁ ସମ୍ବରଣ ହୋଇପାରିଲା ନାହିଁ । ହୃଦୟ ଭିତରେ ବୀଣାର ଅମୃତ-ସ୍ନାତ ସ୍ମୃତି ଘାରି ହୋଇଗଲା । ବସନ୍ତର ପୁଷ୍ପିତ ଜଗତୀ ଭୁସୁଳି ଯାଇଚି । ଝଡ଼ା ପତରର ତଳ୍ପ ଉପରେ ବନ ଦେବତା ବିଳାପ କରି ଯାଉଚି ଶେଷ ରାଗିଣୀ ।

ରମେଶ ମତେ ସାନ୍ତ୍ୱନା ଦେବା ପାଇଁ କେତେଆଡ଼ୁ କେତେ କଥା କହିଲା । ତଥାପି ମନ ମାନିଲା ନାହିଁ । ଅହେତୁକ ଭାବରେ ମନକୁ ଶାନ୍ତ କରିବା ପାଇଁ ରେଡ଼ିଓ ଟ୍ୟୁନ୍ କଲି । ହଠାତ୍ ଆସିଲା କେଉଁ ଏକ ରମଣୀ କଣ୍ଠର ସେହେନା ମୂର୍ଚ୍ଛନା । ସେହେନା ରାଗ ! ଏତ ମୋର ଜୀବନର ପ୍ରିୟତମ ରାଗ । କରୁଣ କଳ କଲ୍ଲୋଳରେ ଶାନ୍ତି ଦେବା ପାଇଁ ଏ ରାଗହିଁ ଶ୍ରେଷ୍ଠ । ସଂଗୀତର ଆଳାପ-ବିଳାପ ଭିତରେ ମନେ ହେଲା ଏ ଯେପରି ଅତି ପରିଚିତ କଣ୍ଠର ରାଗିଣୀ । ଝଙ୍କୃତ ସ୍ୱରର ବିଭାବନରେ ତନ୍ମୟ ହୋଇ ଚାହିଁ ରହିଥିଲି–ବୁଦ୍ଧଦେବ ଓ କିସା ଗୌତମୀଙ୍କ ଚିତ୍ରପଟ ପ୍ରତି-। କି ଶାନ୍ତ, କି ଉଦାର, କି ମହତ୍ ପ୍ରତିବିମ୍ବ । ପାଖରେ ବିଷାଦ ଅଭିଭୂତ ନବ ଯୁବତୀ–ବାହୁ-ମୃଣାଳରେ ତାର ମୃତ ଶିଶୁ ।

ସୁମ ପଚାରିଲା, ନନା, କିଏ ଗାଉଚି ?

ଚେତନା ଫେରି ଆସିଲା । କହିଲି, ମୁଁ ତ ଜାଣେ ନାହିଁ । ଗୀତ ଶେଷରେ ତ ପ୍ରକାଶ ପାଇବ ।

ତରୁଣୀ ରାଗକୁ ରୂପାୟିତ କରି ସାହିତ୍ୟର ଉଚ୍ଚ ଭାବ ସଂଯୋଜନାର ମଧୁର ନିକ୍ୱଣ ସହ ‘ରାମା ଇକା ନାନୁ ବ୍ରୋବା ରାଦା’ ଗୀତ ଆରମ୍ଭ କରିଚି । କି କରୁଣ କି ଭାବ । ହଜିଯାଇଥିବା ପୂଜା-ପ୍ରତିମାକୁ ଆଜି ଖୋଜି ଭକ୍ତକବି ତ୍ୟାଗରାଜ ବିଳାପ କରୁଚନ୍ତି–ରାମ ! ତେବେ ବି ମୋ ପ୍ରତି ତୁମର ଦୟା ହେବନି ? ପଲ୍ଲବୀ-ମୂର୍ଚ୍ଛନାର ଆରୋହଣ ଅବରୋହଣ ଭିତରେ ଯେଉଁ ନାଦ ସେ ସଂଗୀତ ମାଧୁରୀ ଅତୁଳନୀୟ ବୋଧ ହେଲା । ମନେ ହେଲା ଏ ତରୁଣୀ ଜଣେ ବିରହିଣୀ । ତାର ବିରହ-ସ୍ୱର୍ଣ୍ଣକୁ ମୋର ବେଦନା-ନିକଷରେ ପରୀକ୍ଷିତ କରିବା ପାଇଁ ଏ କରୁଣ ରାଗ ଗାଉଚି । ପ୍ରତ୍ୟେକ ସ୍ୱର ଯୋଜନାରେ ଯେଉଁ ଅନୁଭୂତି ଜନିତ କୃତିତ୍ୱ ଫୁଟାଉଚି ସେଥିରେ ତାର ବିଯୋଗ-ବିଧୁରା କୂରରୀର ବିକଳ କ୍ରନ୍ଦନ ପରି ଅନ୍ତରକୁ ଆଲୋଡ଼ିତ କରୁଚି । ଗାନର ଛନ୍ଦେ ଛନ୍ଦେ କାରୁଣ୍ୟ ରସଲହରୀ ଯେପରି ଢ଼େଉ ମାରୁଥିଲା–ମନେ ହେଲା ତାହା ଯତ୍ନ ଯନିତ ନୁହେ,–ସହଜାତ ଓ ସ୍ୱାଭାବିକ ।

ଗାନ ପ୍ରଦର୍ଶନୀ ଶେଷ ହେଲା । Announcer କହିଲେ, ଏତେବେଳ ଯାଏଁ ଆପଣମାନେ ବୀଣା ବିଳାସୀନି ଦେବୀଙ୍କ କଣ୍ଠ ସଙ୍ଗୀତ ଶୁଣିଲେ ।

ସୁମ ଆଶ୍ଚର୍ଯ୍ୟ ହୋଇ ପଚାରିଲା, କିଏ ବୀଣା ଅପା ଗାଉଚନ୍ତି ?

ମୁଁ ସୁମର ଉତ୍ତର ଦେଇପାରିଲି ନାହିଁ । ମୋର ବାଷ୍ପରୁଦ୍ଧ ହୋଇଯାଇଥିଲା ।

ସୁମ ମୋ ହାତ ଧରି ନେଇଗଲା ତଳ ପୁରକୁ ।

ଶେଯ ଉପରେ ଢଳାଇ ଦେଲି ଅବଶ ଦେହକୁ । ମନରେ ଭାବନାର ସୀମା ନାହିଁ ।

ସେ ଦିନ ଖିଆ ଶେଷ କରି ବାପ ମାଙ୍କ ସଙ୍ଗେ ଯାଇଥିଲୁ କଙ୍କଡ଼ା ମାରି । ଟର୍ଚ୍ଚ ଆଲୋକ ସାହାଯ୍ୟରେ ଆମେ ଦୁଇ ପ୍ରାଣୀ ମେଳ ଭିତରୁ ଦୂରକୁ ଚାଲିଯାଇଥିଲୁ । ବୀଣା ଚମକିଲା ପରି କହିଲା, ଆସ, ଯିବା କେତେ ଦୂର ଚାଲି ଆସିଲୁଣି । ମୁଁ କିଛି ନ କହି ବୀଣାର ତନିମା ତନୁକୁ ଭୁଜ ବଲ୍ଲରୀ ଭିତରେ ଛନ୍ଦିତ କଲି । ସେ କହିଲା, ତମେ ବଡ଼ ଦୁଷ୍ଟ ହେଲଣି ।

ଦୁହେଁ ଫେରି ଆସି ମେଳରେ ମିଶିଗଲୁ । ସବୁ ବୀଣା ଭୁଲିଯାଇଚି । ବୀଣା ମୋର ପ୍ରଣୟକୁ ପ୍ରତ୍ୟାବର୍ତ୍ତନ କରିଚି । ସ୍ନେହର ପ୍ରରୋଚନା ଦେଇ ମୋର ଜୀବନକୁ ଧୂଳିସାତ୍ କରିଚି । ଆଜି ଏହି ଦୁଃଖ ଭିତରେ ସେ ସଙ୍ଗୀତ ଆଳାପ କରି ଯାଇଚି–ସୁଦୂର ମନ୍ଦ୍ରାଜକୁ । କେଉଁଥିପାଇଁ ? କିଏ ତାର ଆଳାପ ଶୁଣିବ ? କିଛି ବୁଝିପାରିଲି ନାହିଁ । ସାଗର ସୈକତରେ ବୀଣା ତାର ଚଉଦ ବରଷ ଯୌବନକୁ ମୋର ଅନ୍ତର ବେଦୀ ଉପରେ ନୈବେଦ୍ୟ କରି ବାଢ଼ିଥିଲା ତାହା ଆଜି ଅତୀତରେ ମିଶି ଯାଇଚି । ପିଣ୍ଡରେ ପ୍ରାଣ ଥିବା ଯାଏ ଆମ ଦୁହିଁଙ୍କର ସେହି ମିଳନ, ସେଇ ପ୍ରଣୟ ଭୁଲି ହେବ ନାହିଁ । ମୋର ମନେ ଅଛି, ଭଲ ମନେ ଅଛି-ଉପରେ କ୍ଷୀଣ ଜ୍ୟୋତି ତାରକା, ଆଗରେ ସତ୍ୟ ପାଳିତ ଅନନ୍ତ ସମୁଦ୍ର–ଏହାକୁ ସାକ୍ଷୀ କରି ଆମ ପ୍ରଣୟର ପ୍ରଥମ ଅଭିସାର ରଚିତ ହୋଇଥିଲା ।

ଭାବି ଭାବି ଦେହ ଅଚଳ ହୋଇଗଲା । ରାତି ପ୍ରାୟ ସାଢ଼େ ନ ହେବ, ମାମୀ ଆସି ଖାଇବା ପାଇଁ ଉଠାଇଲେ । କହିଲି, ଦେହଟା ଖରାପ ଲାଗୁଚି–ଖାଇପାରିବିନି !

ରମେଶ କହିଲା, ନନା, ଆସ ଟିକିଏ ଠାଁ କରିଯିବ, ଓପାସରେ ଶୁଅନ୍ତି କି–

କହିଲି, ନା, ଦେହଟା ଖରାପ ଲାଗୁଚି–କପାଳରେ ହାତ ମାରି ଦେଖତ ।

ରମେଶ ମୋର କପାଳରେ ହାତ ବୁଲାଇ କହିଲା, ହଁ, ଟିକିଏ ଜର ଅଛି ବୋଧହୁଏ–ସୁମ, ଥର୍ମୋମିଟର୍‌ଟା ଆଣତ–

ଜର ଶହେ ଦୁଇ ।

ମାମୀ ରମେଶକୁ ଲକ୍ଷ କରି କହିଲେ, ତମେ ଆଉ ସୁମ ଯାଇ ଖାଇ ପକାଅ ।

ରମେଶ ଯାଇପାରିଲା ନାହିଁ । ସେଇ ରାତିଟି ଆମ କ୍ଷୁଦ୍ର ପରିବାର ଉପାସରେ ଶୋଇଲେ ।

ପାଞ୍ଚ ଛ’ ଦିନ ହେଲା ମୋର ଜର ବଢ଼ି ଚାଲିଚି । ମୁଣ୍ଡ ପାଖରେ ବସି ଦିନରାତି ସୁମ, ରମେଶ ଆଉ ମାମୀ ସେବା ସୁଶ୍ରୁଷାରେ ଲାଗିଥାନ୍ତି । ଅନ୍ତହୀନ ଅନ୍ତରୀକ୍ଷ ତଳେ ସଂଧ୍ୟା ଯେପରି ତାର କୃଷ୍ଣ ଆବରଣକୁ ମୋର ଜୀର୍ଣ୍ଣ ତନୁ ଉପରେ ଘୋଡ଼ାଇ ଆଣୁଥାଏ । ସୁମ ବରଫ ପଟି ଦେଉଥାଏ । ରମେଶ ପାଖରେ ବସି ମୋର ବାହୁ ଉପରେ ହାତକୁ ପରଶି ଆଣୁଥାଏ ।

କେହି ଜଣେ ମୋ ହାତକୁ ଦୁଇଟି ପୋଷ୍ଟ ଚିଠି ବଢ଼ାଇ ଦେଲା, ଗୋଟିଏ ବୀଣାର । ଉଦ୍‍ବେଗରେ ଖୋଲିଲି–

ହୃଦୟର ଦେବତା,

ମୋର ଏ ଦେବତା ସଂବୋଧନରେ ତମେ ବିସ୍ମିତ, ଚକିତ, ସ୍ତବ୍ଧ ହେବ । ଆଉ ମନରେ ମୋ ପ୍ରତି ଘୃଣା ଜାତ ହେବ । ହେଉ । ତଥାପି ମୁଁ ସେ ସଂବୋଧନକୁ ଛାଡ଼ିପାରିବି ନାହିଁ । ହୃଦୟ ତମ ଚରଣତଳେ ବିକି ସାରିଚି । ଯଦି ଆମର ପୁନରପି ମିଳନ ହେବ, ହୃଦୟର ବେଦନାକୁ ବଖାଣିବି । ନଚେତ୍ ସବୁ ଭସ୍ମରେ ମିଶି ଯାଇଚି ବୋଲି ନିଶ୍ଚୟ କରିବ ।

ବିବାହ ତିନୋଟି ଦିନ ରହିଲା । ତମେ ପୁରୁଷ ହୋଇ ଏଡ଼େ ଦୁର୍ବଳ, ଏଡ଼େ ଭୟଗ୍ରସ୍ତ ! ମୋର ଯାତ୍ରା ପଥକୁ ଯଦି ଓଗାଳିବ, ଫେରି ପାଇବ । ନହେଲେ ଏଇ ମୋର ଶେଷ ବିଦାୟ । ମୁଁ ଜାଣେ ତମେ ମତେ ଭୁଲିପାରିବ ନାହିଁ । ତଥାପି ଭୁଲିଯିବା ପାଇଁ ଚେଷ୍ଟା କରିବ । ବୁଝି ପାରିଲତ-? ବିବାହ ତିନୋଟି ଦିନ ରହିଲା ।

ଇତି

ତମର ଚରଣ ସେବିକା

ବୁଝି ପାରିଲି । କିନ୍ତୁ–

ସୁମ ମୋ ମୁଣ୍ଡ ତଳେ ବସି ବୀଣାର ହସ୍ତଲିପି ଦେଖିପାରିଥିଲା । ପଚାରିଲା, କିଏ ବୀଣା ଅପା ଦେଇଛନ୍ତି ?

କହିଲି, ହଁ ସୁମ, ତୋର ବୀଣା ଅପା ଦେଇଚି । ରମେଶକୁ କହିଲି, ଭାଇ, ଲେଟର୍ ପେଡ୍‌ଟା ଆଣତ–

କାଗଜ କଲମ ଆସିଲା । ପାଖରେ ଭଉଣୀ, ତଥାପି ବୀଣା ପାଖକୁ ତା ଆଗରେ ରମେଶ ହାତରେ ଚିଠି ଲେଖାଇବା ପାଇଁ ଶଙ୍କା ମନେ କଲିନି, ସେତ ଆଉ ମୋର ପର ନୁହେ ।

 

ଡାକି ଗଲି–

ନିଜର,

ତୋ ଚିଠି ପାଇଚି । କ’ଣ ଲେଖିବି ଭାବିପାରୁ ନାହିଁ । ଶହେ ଚାରି ଡ଼ିଗ୍ରି ଜରରେ ପଡ଼ିଚି-। ପାଖରେ ସୁମ ଆଉ ତାର ପତି ରମେଶ । ସୁମ ମୋ ମୁଣ୍ଡରେ ବରଫ ପଟି ଦେଉଚି । ଚିଠି ଲେଖିବା ପାଇଁ ବଳ ନାହିଁ । ହୃଦୟରୁ ଯେଉଁ ଦୁଃଖ ଟିକକ ବାହାରୁଚି, ମୁଁ କହିଗଲେ ଭାଇ ରମେଶ ଲେଖୁଚି । ଏଥିରେ ଲଜ୍ଜା କରିବାର କିଛି ନାହିଁ । ରମେଶର ହସ୍ତଲିପି ଦେଖି ଅନ୍ୟଥା ଭାବିବୁ ନାହିଁ-। ଏ କେବଳ ମୋର ପତ୍ର । ମେଘଦୂତର ଯକ୍ଷ କାହାଣୀ ପଢ଼ି, କୁମାର ସମ୍ଭବର ରତି ବିଳାପ ପଢ଼ି, ଅନ୍ଧ କବି ମିଲ୍‌ଟନଙ୍କ Paradise Lost ପଢ଼ି ମୁଁ ଶାନ୍ତି ପାଇ ପାରିନାହିଁ । ବିଶ୍ୱ ବନ୍ଦନୀୟ କବି ସ୍ରଷ୍ଟାଙ୍କ ଅଭୟବାଣୀରେ ମୋର ହୃଦୟ ସାନ୍ତ୍ୱନା ପାଇପାରିନାହିଁ । ମତେ ତୁ କବିସ୍ରଷ୍ଟା କରିଚୁ । ସେଥିପାଇଁ ମୋର ଅନ୍ତରର ଅଭିନନ୍ଦନ ନେବୁ । ରଘୁବଂଶରେ ବିଶ୍ୱଜୀବନକୁ ମହାକବି କାଳିଦାସ କବି ରୂପେ ବନ୍ଦନା କରିଚନ୍ତି । ମତେ ତୁ ବନ୍ଦନା କରିଚୁ । ସ୍ରଷ୍ଟାର ସ୍ରଷ୍ଟା କବି, କବିର ସ୍ରଷ୍ଟା କବି–ଯେପରି କାୟା ଛାୟା । ଆଜି କବି ନଥିଲେ ସ୍ରଷ୍ଟାଙ୍କୁ ଜାଣି ହୁଅନ୍ତା ନାହିଁ । ତୁ ମୋର ସ୍ରଷ୍ଟା ଆଉ ମୁଁ ତୋର କବି । ତୁ ମୋର ଇନ୍ଦୁମତି, ଆଉ ମୁଁ ତୋର ଅଜ; ତୁ ମୋର ବଇଁତ୍ରିଶ, ଆଉ ମୁଁ ତୋର ଦାନ୍ତେ ।

ଆଜି ମରଣର ବିବଳିତ ସୋପାନରେ ମୋର ଜୀବନ ଖସି ଆସୁଚି । ଚତୁର୍ଦ୍ଦିଗରେ ଘୋର ଘନଘଟା ମୃତ୍ୟ ଢକା ବଜାଇ ଅସୀମର ଆହ୍ୱାନ ଦେଉଚି । ଏଇ ମର-ଲୀଳାରେ ତତେ ସାଥି କରି ପାଇ ପାରିବି ନାହିଁ । ମୁଁ ଏକାକୀ ଚାଲିଯିବି–ହଁ ଚାଲିଯିବି । କାଲିକି ତୋର ବିବାହ ଏହି ଧରଣୀରେ ଅନୁଷ୍ଠିତ ହେବ । ହେଉ । ସୁଖରେ ହେଉ । ତା’ ଆଗରୁ ମୋର ଶୀର୍ଣ୍ଣ ତନୁ ନିଶ୍ଚିହ୍ନ ହେଉ । ପ୍ରଣୟର ଏହି ତୀବ୍ର ଜ୍ୱାଳା, ବିରହର ଏହି ବଜ୍ରାଘାତ ସହି ହେବନି । ମୋର ଜୀବନର କାହାଣୀ ଶେଷ ହୋଇ ଆସିଲା । ତୁ ବେଦୀ ଉପରେ ବସି ସିନ୍ଦୂର ବିନ୍ଦୁ ପାଉଥିବୁ, ଅଶୁଭ ବାର୍ତ୍ତା ଯିବ । ତତେ କେହି କହିବେନି । ତାହାହିଁ ମତେ ଲୋଡ଼ା । ତୋର କଲ୍ୟାଣ ସମୟରେ ଅଶାନ୍ତି ଦେବା ପାଇଁ ମୁଁ ଚାହେଁନି । ଏ କଳୁଷିତ ଧରଣୀ ବକ୍ଷରୁ ମୁଁ ପ୍ରଥମେ ଚାଲି ଯାଉଚି ।

Let my heart burst in time

Let my heart live in peace

Let my life flicker and die

God, from this frail world, me release.

Let this ragged tragedy van

And my heart for ever mute doth run

You life ! repose me beneath thy feet !

And Let me wait for Beena’s soul’s Return !

କହୁ କହୁ କ’ଣ ଗୁଡ଼ାଏ କହିଗଲି, ଲେଖୁ ଲେଖୁ କ’ଣ ଗୁଡ଼ାଏ ଲେଖିଗଲି, ସେଥିର ଭାବ କ’ଣ, ବୁଝିବାକୁ ତର ନାହିଁ ! ସବୁ ଯେପରି ପବନରେ ଭାସି ଆସି ପବନରେ ମିଳେଇ ଯାଇଚି । ଯାଉ-ଶେଷରେ ମୋର ଏଇ କଲ୍ୟାଣ, ତୁ ଶାନ୍ତିରେ ରହ ।

ବିଦାୟ

ଇତି ତୋର ସର୍ବହରା

ଚିଠି ଶେଷ ହୋଇଗଲା । ରମେଶକୁ କହିଲି, ପୋଷ୍ଟ କରିଦେବୁ । ରମେଶ ଚିଠିଟିକୁ ଲଫାପା ଭିତରେ ଭର୍ତ୍ତିକଲା । ମୋ ଛାତି ଭିତରୁ ପ୍ରାଣବାୟୁ ଉତ୍‌କ୍ଷିପ୍ତ ହୋଇ ଉଠିଲା । କହିଲି, ଭାଇ, ପବନଟା କିମିତି ଉପରକୁ ଉଠଉଚି । ମତେ ଟିକିଏ ଧରତ–

ରମେଶ ମତେ ଧଇଲା । ପ୍ରକୋଷ୍ଠରେ ଜଳୁଥିବା ନିଶ୍ଚଳ ଦୀପଟି ଧପ୍ କିନା ଲିଭିଗଲା-। ଉଦ୍‍ବେଗରେ କହିଲି, ଭାଇ, ମୁଁ ଆଉ ବଞ୍ଚିବି ?

କ’ଣ ଇମିତି ଭାବୁଚ, ନନା ?

ସୁମ କହିଲା, କ’ଣ ଇମିତି କହୁଚ, ନନା ?

ମାମୀ ଧାଇଁ ଆସି କହିଲେ, ଇମିତି ପଚାରନ୍ତି !

ମାମୀକୁ ଟିକିଏ ଚାହିଁ ରହିଲି । ଜନ୍ମଦାତ୍ରୀ । ପତି ବିଯୋଗ ଦୁଃଖ ସହି ଦେହରେ ହାଡ଼ ଦିଖଣ୍ଡ ରହିଚି । ଆଜି ପୁତ୍ର ବିଯୋଗ ଦୁଃଖ ସହିବାକୁ ଯାଉଚି । ଜାଣିପାରୁ ନାହିଁ ।

ତହୁଁ ମୋର ଆଖି ଧୀରେ ଧୀରେ ଅପସରିଗଲା । ସୁମ ଆଡ଼େ । ମୋର ଅବସ୍ଥା ଦେଖି ତାର କଅଁଳ ଛାତି ସମ୍ଭାଳି ପାରିଲା ନାହିଁ । ରୁଦ୍ଧ କଣ୍ଠରେ କହିଲା, କ’ଣ ନନା ସିମିତି-ଆଉ କହିପାରିଲା ନାହିଁ ।

ଏମାନଙ୍କର ଡାକ ଶୁଣିବା ପାଇଁ ମୋର ଆଉ ବେଳ ନାହିଁ ?

ସମସ୍ତେ ଏକ କଣ୍ଠରେ ଡାକିଲେ,ଫ୍ରେଡ୍‍, ନନା, ନନା, ବିରକ୍ତ ଲାଗିଲା । ଆଖି ଫିଟାଇ କହିଲି, କ’ଣ ? ରମେଶ କହିଲା, କଥା କହୁନା ?

ମୋତେ ବାବା ହାତ ବଢ଼ାଇ ଡାକୁଚନ୍ତି, ତମକୁ ଦିଶୁ ନାହିଁ ? ସେ ମୋତେ କ’ଣ କହୁଥିଲେ–ତମେ ତୁଛାରେ ଡାକି ଦେଲ–ମୋତେ ଟିକିଏ ଶାନ୍ତି ଦିଅ–ବାବା କ’ଣ କହୁଚନ୍ତି ଶୁଣେ–

ସମସ୍ତେ ତୁଣ୍ଡ କରି କହିଲେ, କ’ଣ ଇମିତି, କଥା କହୁଚ–

କ୍ଷୀଣ କଣ୍ଠରେ କହିଲି, ମୁଁ କରିବି କ’ଣ ? ପ୍ରଦୀପ ତ ଯାଉଚି ଲିଭି–

ସବୁ ଶେଷ ହୋଇଗଲା । ଫ୍ରେଡ଼୍‍ ଚାଲିଗଲା । କ୍ରନ୍ଦନ ଭିତରେ ଛୋଟ ସଂସାରଟି ଅନ୍ତ୍ୟେଷ୍ଟି କ୍ରୀୟା କରିବାର ଆୟୋଜନ କଲେ ।

ଚିତା ଉପରେ ଫ୍ରେଡ୍‍ର ମୃତ ଦେହକୁ ଥୋଉଚନ୍ତି, କେହି ଜଣେ ଗୋଟିଏ ଟେଲିଗ୍ରାମ ରମେଶକୁ ଶୁଣାଇ ପଢ଼ିଲା, Beena expired–Sudden Heart failure–

ରମେଶ ବିଚଳିତ ହେଲା ନାହିଁ, କି କଥା କହି ନାହିଁ । ଅଜାଣତରେ ତା ତୁଣ୍ଡରୁ ବାହାରି ପଡ଼ିଲା, ‘ମିଳନ’!

ଆଜି ଏ କାହାଣୀକୁ ଫ୍ରେଡ଼୍‍ ସ୍ଥାନରେ ରମେଶ ମୁଁ ବୋଲି କହି ଅଗଜର ସ୍ମୁତିକୁ ବଞ୍ଚାଇ ରଖୁଚି !

ଦୁନିଆର ଆରପାରିରେ ପରସ୍ପରକୁ ଫେରି ପାଇବେ ଅବା ବନ୍ୟାର ଆଘାତରେ ଦଳି ହୋଇ ଯିବେ–ସେ କଥା କିଏ କହିବ ।

Image